ରତନ ଟାଟାଙ୍କ ବିୟୋଗରେ ଦେଶବ୍ୟାପୀ ଶୋକ ; ମର୍ମାହତ ରାଷ୍ଟ୍ରପତିଙ୍କଠାରୁ ସାଧାରଣ ଜନତା

ରତନ ଟାଟାଙ୍କ ବିୟୋଗରେ ଦେଶବ୍ୟାପୀ ଶୋକର ଲହର । ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଲେ, ଭାରତ ହରାଇଲା ଜଣେ ଆଇକନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ ଥିଲେ ରତନ ଟାଟା ।

8tata

କନକ ବ୍ୟୁରୋ: ରତନ ଟାଟାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରତନ ଟାଟାଙ୍କ ଦୁଃଖଦ ବିୟୋଗରେ ଭାରତ ଜଣେ ଆଇକନ ହରାଇଛି । ଯିଏ କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣ ସହ ଏବଂ ଉତ୍କର୍ଷତାକୁ ନୈତିକତା ସହିତ ମିଶ୍ରଣ କରିଛନ୍ତି । ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ରତନ ଟାଟା ମହାନ ଟାଟା ପରମ୍ପରାକୁ ଆଗକୁ ବଢ଼ାଇବା ସହ ଏହାକୁ ବିଶ୍ୱସ୍ତରରେ ଅଧିକ ପ୍ରଭାବଶାଳୀ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। 

ସେହିପରି ରତନ ଟାଟାଙ୍କ ପରଲୋକରେ ଖୁବ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ ଥିଲେ। ଜଣେ ସହୃଦୟ ଆତ୍ମା ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ଭାରତର ଏକ ସର୍ବପୁରାତନ ଓ ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନକୁ ସେ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ। ଏଥିସହିତ ତାଙ୍କ ଅବଦାନ ବୋର୍ଡରୁମରୁ ବହୁତ ଆଗକୁ ଥିଲା। ନିଜ ବିନମ୍ରତା, ଦୟାଳୁ ମନୋଭାବ ଓ ସମାଜର ଉନ୍ନତି ପାଇଁ ଅବିଚଳିତ ପ୍ରତିବଦ୍ଧତା ଯୋଗୁଁ ଅନେକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ମୋଦୀ ଆହୁରି କହିଛନ୍ତି ଯେ, ରତନ ଟାଟାଙ୍କ ସବୁଠାରୁ ଅନନ୍ୟ ଦିଗ ଥିଲା ବଡ଼ ସ୍ୱପ୍ନ ଦେଖିବା ଏବଂ ଅନ୍ୟକୁ କିଛି ଦେବା ପାଇଁ ଉତ୍କଣ୍ଠା। ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପଶୁ କଲ୍ୟାଣ ଭଳି ପ୍ରସଙ୍ଗକୁ ଆଗକୁ ନେବାରେ ସେ ଆଗରେ ଥିଲେ। ରତନ ଟାଟାଙ୍କ ସହ ହୋଇଥିବା ଅଗଣିତ ସାକ୍ଷାତକାରକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି , ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଅନେକ ସମୟରେ ତାଙ୍କୁ ଭେଟୁଥିଲି। ବିଭିନ୍ନ ପ୍ରସଙ୍ଗରେ ଆମେ ପରସ୍ପର ସହ ଆଲୋଚନା କରୁଥିଲୁ। ମୁଁ ତାଙ୍କ ବିଚାରଧାରା ବହୁତ ପ୍ରେରିତ କରିଛି। ତାଙ୍କ ବିୟୋଗ ବହୁତ କଷ୍ଟ ଦେଇଥିବା ମୋଦୀ ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
 

କେବଳ ଶିଳ୍ପପତି କି ନେତା, ମନ୍ତ୍ରୀ ନୁହଁନ୍ତି ସାଧାରଣ ଜନତା ବି ରତନଙ୍କ ପରଲୋକରେ ମର୍ମାହତ । ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପାଇଁ ଚିନ୍ତା କରୁଥିବା କାମ କରୁଥିବା ରତନଙ୍କ ପରଲୋକରେ ସାଧାରଣ ଲୋକଙ୍କ ମନରେ ବି ଅବ୍ୟକ୍ତ ଶୋକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe