କନକ ବ୍ୟୁରୋ: ଗ୍ରେଟର ନୋଏଡାରେ ହୋଇଥିବା ନିକ୍କି ଯାଦବ ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠୁଛି । ନିକ୍କିଙ୍କୁ ତାଙ୍କ ସ୍ୱାମୀ ବିପିନ କେବଳ ନିର୍ମମ ଭାବେ ହତ୍ୟା କରିନଥିଲେ, ବରଂ ଏହି ଷଡ଼ଯନ୍ତ୍ର ପଛରେ ତାଙ୍କ ପରିବାରର ଏକ ଭୟଙ୍କର ଚକ୍ରାନ୍ତ ଥିଲା । ନିକ୍କିଙ୍କ ଭଉଣୀ କଞ୍ଚନ ପୁଲିସ ଆଗରେ ଏପରି କିଛି ରହସ୍ୟ ଖୋଲିଛନ୍ତି, ଯାହା ଏହି ପୂରା ମାମଲାକୁ ଏକ ନୂଆ ମୋଡ଼ ଦେଇଛି । କଞ୍ଚନଙ୍କ ଅଭିଯୋଗ ଅନୁଯାୟୀ, ନିକ୍କିଙ୍କ ଶାଶୁ-ଶଶୁର ତାଙ୍କୁ ଘରୁ ବାହାର କରିଦେବାକୁ ଚାହୁଁଥିଲେ ଏବଂ ନିଜ ପୁଅ ବିପିନର ଦ୍ୱିତୀୟ ବିବାହ ପାଇଁ ଯୋଜନା କରୁଥିଲେ ।
ଯୌତୁକ ପାଇଁ ଚାଲିଥିଲା ନିର୍ଯାତନା:
କଞ୍ଚନଙ୍କ କହିବା ଅନୁଯାୟୀ, ବିବାହ ପରଠାରୁ ହିଁ ନିକ୍କିଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ତାଙ୍କ ଶାଶୁ-ଶଶୁର ଏବଂ ସ୍ୱାମୀ ବିପିନ ବାରମ୍ବାର ଟଙ୍କା ଓ ଦାମୀ ଜିନିଷ ପାଇଁ ଚାପ ପକାଉଥିଲେ । ସେମାନେ ନିକ୍କିଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦେଉଥିଲେ । ନିକ୍କି ଏହି ସବୁ ଅତ୍ୟାଚାର ସହି ଆସୁଥିଲେ । କାରଣ ସେ ନିଜ ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଲୋଭ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ସେମାନେ ନିକ୍କିଙ୍କୁ ଏକ ବୋଝ ବୋଲି ଭାବୁଥିଲେ ଏବଂ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲେ ।
ଘରୁ ବାହାର କରି ଦ୍ୱିତୀୟ ବିବାହର ଷଡ଼ଯନ୍ତ୍ର:
କଞ୍ଚନ ସବୁଠାରୁ ବଡ଼ ଖୁଲାସା କରି କହିଛନ୍ତି ଯେ, ନିକ୍କିଙ୍କ ଶାଶୁ-ଶଶୁର ତାଙ୍କ ପୁଅ ବିପିନର ଦ୍ୱିତୀୟ ବିବାହ ଏକ ଧନୀ ପରିବାରରେ କରାଇବାକୁ ଚାହୁଁଥିଲେ । ଯାହାଦ୍ୱାରା ସେମାନଙ୍କୁ ମୋଟା ଅଙ୍କର ଯୌତୁକ ମିଳିପାରିବ । ଏଥିପାଇଁ ସେମାନେ ନିକ୍କିଙ୍କୁ ଘରୁ ବାହାର କରିଦେବା ପାଇଁ ଯୋଜନା କରୁଥିଲେ । ଏବଂ ୩୫ରୁ ୩୬ ଲକ୍ଷ ଡିମାଣ୍ଡ ମାଗୁଥିଲେ । ସେମାନେ ବିପିନକୁ ମଧ୍ୟ ଏଥିପାଇଁ ଉସକାଉଥିଲେ । ସେମାନେ ଚାହୁଁଥିଲେ ଯେ ନିକ୍କି କୌଣସି ପ୍ରକାରେ ଘର ଛାଡ଼ି ଚାଲିଯାଆନ୍ତୁ, ଯାହା ପରେ ସେମାନେ ସହଜରେ ବିପିନର ଦ୍ୱିତୀୟ ବିବାହ କରାଇ ପାରିବେ । ନିକ୍କି ଏହି ଷଡ଼ଯନ୍ତ୍ର ବିଷୟରେ ଜାଣିପାରିଥିଲେ ଏବଂ ଏହାର ବିରୋଧ କରିଥିଲେ, ଯାହା ତାଙ୍କ ହତ୍ୟାର କାରଣ ପାଲଟିଗଲା ବୋଲି କଞ୍ଚନ ଅଭିଯୋଗ କରିଛନ୍ତି ।
ନିକ୍କିଙ୍କ ଭଉଣୀ ଦୃଢ଼ ଭାବରେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ କେବଳ ବିପିନ ଏକା କରିନାହିଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟା ଯେଉଁଥିରେ ତା'ର ପୂରା ପରିବାର ସାମିଲ ଅଛି । ଏବେ ନିକ୍କିଙ୍କ ଶାଶୁ ଏବଂ ସ୍ବାମୀଙ୍କୁ ଗିରଫ କରିଛି ।