କନକ ବ୍ୟୁରୋ: ହମାସକୁ ବଡ଼ ଝଟକା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଘୋଷଣା କରିଛି ଯେ ହମାସର ବଡ଼ ନେତା ମହମ୍ମଦ ସିନୱାର ଗାଜାର ଖାନ ୟୁନିସସ୍ଥିତ ଏକ ଟନେଲ୍‌ରେ ଆଇଡିଏଫ୍‌ର ଆକ୍ରମଣରେ ନିହତ ହୋଇଛି । ଆଇଡିଏଫ ଦାବି କରିଛି, ସିନୱାରଙ୍କ ଶବ ଖାନ ୟୁନିସରେ ଥିବା ୟୁରୋପୀୟ ହସ୍ପିଟାଲ ତଳେ ଏକ ଗୁପ୍ତ ଟନେଲରୁ ଉଦ୍ଧାର କରାଯାଇଛି, ଯାହା ହମାସର ନାଗରିକଙ୍କୁ ଢାଲ ଭାବେ ବ୍ୟବହାର କରୁଥିବାର ପ୍ରମାଣ ବୋଲି କୁହାଯାଇଛି। ଆଇଡିଏଫ ଏକ୍ସରେ ସିନୱାରଙ୍କ ଇସ୍ରାଏଲୀ ଓ ହମାସ ଡକ୍ୟୁମେଣ୍ଟ ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ପ୍ରକାଶ କରିଛି । ୪୯ ବର୍ଷୀୟ ମୁହାମ୍ମଦ ସିନୱାର, ହମାସର ପୂର୍ବତନ ନେତା ଜାହ୍ୟା ସିନୱାରଙ୍କ ସାନ ଭାଇ ଏବଂ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣର ମୁଖ୍ୟ ଯୋଜନାକାରୀଙ୍କ ମଧ୍ୟରେ ଥିଲେ ।

Advertisment

୨୦୨୪ ଜୁଲାଇରେ ହମାସର ଶୀର୍ଷ ସାମରିକ କମାଣ୍ଡର ଡେଇଫଙ୍କ ମୃତ୍ୟୁ ପରେ ସିନୱାର ହମାସର ସାମରିକ ଶାଖାର ନେତୃତ୍ୱ ନେଇଥିଲେ। ଆଇଡିଏଫ୍‌ କହିଛି, ସିନୱାର ଅନେକ ନାଗରିକଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ସେ ଶାନ୍ତି ଆଲୋଚନା ଓ ବନ୍ଦୀ ମୁକ୍ତି ପ୍ରକ୍ରିୟାକୁ ବାଧା ଦେଉଥିଲା । ଟନେଲରୁ ମିଳିଥିବା ଫୁଟେଜରେ ଅସ୍ତ୍ରଶସ୍ତ୍ର ଓ ସାମରିକ ସାମଗ୍ରୀ ଦେଖାଯାଇଛି, ଯାହା ହମାସର ଗୁପ୍ତ କାର୍ଯ୍ୟକଳାପକୁ ପ୍ରମାଣ କରୁଛି । ଆଇଡିଏଫ୍‌ କହିଛି ଖାଲି ସିନୱାରୀ ନୁହେଁ, ଆକ୍ରମଣରେ ହମାସର ରଫା ବ୍ରିଗେଡ କମାଣ୍ଡର ମହମ୍ମଦ ଶାବାନା ଓ ଦକ୍ଷିଣ ଖାନ ୟୁନିସ ବାଟାଲିଅନର ମୁଖ୍ୟ ମଧ୍ୟ ନିହତ ହୋଇଛନ୍ତି । ଏହି ଘଟଣା ହମାସ ପାଇଁ ଏକ ବଡ଼ ଆଘାତ ହୋଇଥିବା ବେଳେ ଇସ୍ରାଏଲର ସାମରିକ ରଣନୀତିରେ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ତେବେ ହମାସ ଏ ପର୍ଯ୍ୟନ୍ତ ସିନୱାରଙ୍କ ମୃତ୍ୟୁକୁ ସରକାରୀ ଭାବେ ସ୍ୱୀକାର କରିନାହିଁ ।