କନକ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନରେ ଜଣେ ହିନ୍ଦୁ ମହିଳା ଆସିଷ୍ଟାଣ୍ଟ୍ କମିସନ ଭାବରେ ନିଯୁକ୍ତ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ୨୫ ବର୍ଷୀୟ କଶିସ୍ ଚୌଧୁରୀ ବଲୁଚିସ୍ତାନର ପ୍ରଥମ ହିନ୍ଦୁ ମହିଳା ଆସିଷ୍ଟାଣ୍ଟ୍ କମିସନର ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କର ଏହି ସଫଳତା ପାକିସ୍ତାନରେ ବସବାସ କରୁଥିବା ମହିଳାମାନଙ୍କର ଶିକ୍ଷା ଏବଂ ସମାଜରେ ସେମାନଙ୍କର ଯୋଗଦାନର ବିଷୟରେ ଏକ ବାର୍ତ୍ତା ।
କଶିସ୍ ଚୌଧୁରୀ ପାକିସ୍ତାନର ବଲୁଚିସ୍ତାନର ଚଗାଇ ଜିଲ୍ଲାର ନୋଶକି ସହରରେ ଜନ୍ମଗ୍ରହଣ କରିଥିଲେ । ଏହି ଅଞ୍ଚଳଟି ବହୁତ ପଛୁଆ ଏବଂ ଦୁର୍ଗମ, କିନ୍ତୁ କଶିସ୍ ଏଠାରୁ ବାହାରି ଶିକ୍ଷା କ୍ଷେତ୍ରରେ ସଫଳତାର ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ସେ ବଲୁଚିସ୍ତାନ ପବ୍ଲିକ୍ ସର୍ଭିସ୍ କମିସନ୍ (BPSC) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଆସିଷ୍ଟାଣ୍ଟ କମିସନର ପଦବୀ ପାଇଁ ମନୋନୀତ ହୋଇଥିଲେ । କଶିସ୍ଙ୍କ ଏହି ସଫଳତା କେବଳ ତାଙ୍କ ପରିବାରକୁ ଗର୍ବିତ କରିନି ବରଂ ସମଗ୍ର ପ୍ରଦେଶର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ପାଲଟିଛି ।
କଶିସ୍ ଚୌଧୁରୀ କ୍ୱେଟାରେ ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବାଗତିଙ୍କ ସହ ସାକ୍ଷାତ ସମୟରେ ସ୍ପଷ୍ଟ କରିଛନ୍ତି ଯେ ସେ ମହିଳା,ସଂଖ୍ୟାଲଘୁ ଏବଂ ପ୍ରଦେଶର ସାମଗ୍ରିକ ବିକାଶ ପାଇଁ କାମ କରିବେ । କଶିସ୍ କହିଛନ୍ତି ଯେ ତାଙ୍କର ପ୍ରାଥମିକତା ହେବ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମାନ ଅଧିକାର ଦେବା । ତାଙ୍କର ଏହିଭଳି ଚିନ୍ତାଧାରାକୁ ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ବାଗତି କଶିସ୍ଙ୍କ ସଫଳତାକୁ ନେଇ କହଛନ୍ତି,କେବଳ ବଲୁଚିସ୍ତାନ ପାଇଁ ନୁହେଁ ବରଂ ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ଉଚ୍ଚ ପଦବୀରେ ପହଞ୍ଚନ୍ତି ସେତେବେଳେ ସମଗ୍ର ଜାତିର ବିଜୟ ହୋଇଥାଏ ।
କଶିସ୍ ଚୌଧୁରୀଙ୍କ ଏହି ସଫଳତା ପଛରେ ତାଙ୍କ ପିତା ଗିର୍ଧାରୀ ଲାଲ୍ଙ୍କ ଯୋଗଦାନ ବହୁତ । ଗିର୍ଧାରୀ ଲାଲ୍ ଜଣେ ମଧ୍ୟମ ସ୍ତରର ବ୍ୟବସାୟୀ, ସେ ସବୁବେଳେ ତାଙ୍କ ଝିଅକୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରୁଥିଲେ । ସେ କହିଛନ୍ତି,ମୋ ଝିଅ ସବୁବେଳେ କିଛି ବଡ଼ କରିବାପାଇଁ ଚେଷ୍ଟା କରୁଥିଲା ଆଉ ଆଜି ସେ ସଫଳ ହୋଇଛି ।
ତେବେ କଶିସ୍ଙ୍କ ଏହି ସଫଳତା ବାଧୁଛି ପାକିସ୍ତାନକୁ । କାରଣ, ବଲୁଚିସ୍ତାନ ପାକିସ୍ତାନରୁ ଅଲଗା ହେବାପାଇଁ ସବୁବେଳେ ବିଦ୍ରୋହ କରିଆସିଛି । ଭାରତ-ପାକ୍ ଯୁଦ୍ଧ ପରିସ୍ଥିତି ଭିତରେ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା ପାକିସ୍ତାନ ବିରୋଧୀ ନାରା । ବଲୁଚିସ୍ତାନର ନେତା ପାକିସ୍ତାନ ବିରୋଧରେ ବୟାନବାଜି ମଧ୍ୟ କରୁଥିଲେ । ଗୋଟେ ପଟେ ପାକିସ୍ତାନ ଭାରତକୁ ଆକ୍ରମଣ କରୁଥିଲା କିନ୍ତୁ ଅନ୍ୟପଟେ ନିଜ ଦେଶରେ ହିଁ ବିରୋଧର ସମ୍ମୁଖୀନ ହେଉଥିଲା । ସେହି ସମୟରେ ବଲୁଚିସ୍ତାନର ନେତା ପାକିସ୍ତାନକୁ ତାର ପରାଜୟ କଥା ମନେ ପକାଇବା ସହ ପାକିସ୍ତାନ କିଭଳି ନିଜ ଲୋକମାନଙ୍କୁ ନିର୍ଯାତନା ଦେଉଥିଲା ତାହା ମଧ୍ୟ ମନେପକାଇ ଦେଇଥିଲେ । ସେତେବେଳେ ବଲୁଚିସ୍ତାନରେ ଅସହାୟ ହୋଇପଡ଼ିଥିଲା ପାକ୍ ସେନା । ଭାରତ-ପାକିସ୍ତାନ ବିଦ୍ରୋହ ଭିତରେ ବିଲୁଚିସ୍ତାନ ମଧ୍ୟ କରିଥଲା ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ । ଭାଗ ଭାଗ ହୋଇଯିବ କି ପାକ୍,ଏ ଚିନ୍ତା ମଧ୍ୟ ଘାରିଛି ପାକିସ୍ତାନକୁ ।
ତେବେ ଏ ସବୁ ଭିତରେ ବଲୁଚିସ୍ତାନର ଜଣେ ୨୫ ବର୍ଷୀୟ ହିନ୍ଦୁ ଝିଅ ଆସିଷ୍ଚାଣ୍ଟ୍ କମିସନର ଭାବେ ନିଯୁକ୍ତି ପାଇବା ଭାରି ପଡ଼ିପାରେ ପାକ୍ ଉପରେ । କାରଣ ନିଜ ଦେଶରେ ରହି ମଧ୍ୟ କିଛି ମହିଳା ନିର୍ଯାତିତ ହେଉଛନ୍ତି । ତେଣୁ କଶିସ୍ ଚୌଧୁରୀଙ୍କ ସଫଳତା ବଲୁଚିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଛି ।