କନକ ବ୍ୟୁରୋ : ରୋଜଗାର ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । କିଏ ନିଜ ପାଇଁ ରୋଜଗାର କରେ ତ ଅନ୍ୟ କେହି ନିଜେ ବଂଚିବା ସହ ଅନ୍ୟକୁ ସ୍ବାବଲମ୍ବୀ ବି କରାଇଥାନ୍ତି । ଆମେ ଆଜି ଆପଣଙ୍କୁ ଏକ ନିଆରା ଚାଷ ଦେଖାଇବୁ ଯେଉଁଠି ଘାସ ବି ଲୋକଙ୍କୁ ରୋଜଗାରର ସୁଯୋଗ ଦେଇଛି । ବ୍ରହ୍ମପୁରର ଏସ.ରାମମୂର୍ତ୍ତି ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଚାଷୀଙ୍କ ଠାରୁ ୫୦ ଏକର ଜମି ଲିଜ୍ ନେଇ ଏହି ଚାଷ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଂଚଳର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ସେମାନେ ଦାଦନ ଖଟିବାକୁ ନଯାଇ ଘାସ ଚାଷରେ ନିୟୋଜିତ ହୋଇ ପରିବାର ଚଳାଉଛନ୍ତି । ଗଂଜାମ ସୋରଡ଼ା ବ୍ଲକ ବୋରଦା ଗାଁର ସନ୍ତୋଷ ଗୌଡ଼ ଚାଷ କାମର ସମସ୍ତ ଦାୟିତ୍ବ ନେଇଛନ୍ତି । ଲେମନ ଗ୍ରାସ ଓ ପାମ ରୋଜା ନାମକ ଘାସ ଚାଷରୁ ୧୪ଟି ପରିବାର ଉପକୃତ ହେଉଛନ୍ତି । ଏହି ଦୁଇ ପ୍ରକାରର ଘାସରୁ ବାହାରୁଥିବା ତେଲ ଅତର, ଔଷଧୀୟ ସାମଗ୍ରୀ, ଥଣ୍ଡା ପାନୀୟ ଓ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହୃତ ହେଉଥିବାରୁ ଚାହିଦା ଢେର ଅଧିକ ରହିଛି ।
ପ୍ରାୟ ୫ଶହ କେଜି ଘାସକୁ ଦୁଇଟି ସ୍ବତନ୍ତ୍ର ଟାଙ୍କିରେ ରଖି ତା’ ଭିତରକୁ ଗରମ ବାଷ୍ପ ଛଡ଼ାଯାଏ। ସେହି ବାଷ୍ପରେ ସିଝି ସେ ଭିତରୁ ବାହାରୁଥିବା ତେଲ ହିଁ ଶେଷ ଉତ୍ପାଦ ହୋଇଥାଏ। ପ୍ରତିଦିନ ଆଠରୁ ନଅ ଘଂଟା ପରିଶ୍ରମ ପରେ ପାଖାପାଖି ଚାରିରୁ ପାଂଚ ଲିଟର ତେଲ ମିଳିଥାଏ। ଏଭଳି କାମ କରି ପ୍ରତି ଚାଷୀଙ୍କୁ ମାସିକ ୯ ହଜାରରୁ ୧୦ ହଜାର ଟଙ୍କା ବେତନ ମିଳିଥାଏ।
ଥରେ ଗଛ ଲଗାଇଲେ ୭ ବର୍ଷ ପର୍ଯ୍ୟନ୍ତ ତେଲ ଉତ୍ପାଦନ ହୋଇଥାଏ । ତେଲ ଲିଟର ପିଛା ୨୦୦୦ରୁ ୨୫ ଶହ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ଚାଷୀ ।
Follow Us