କନକ ବ୍ୟୁରୋ :   ଦୀପରେ ସଜେଇ ହୋଇଛି ରାମଙ୍କ ନଗରୀ ।  ଅଯୋଧ୍ୟା ପୁଣି ରଚିବାକୁ  ଯାଉଛି ନୂଆ ଇତିହାସ । ଦୀପ ଉତ୍ସବ ପାଇଁ ଭବ୍ୟ  ଆୟୋଜନ କରିଛନ୍ତି  ଉତ୍ତରପ୍ରଦେଶ ସରକାର ।  ଦୀପାବଳିରେ ୨୬ଲକ୍ଷରୁ ଅଧିକ ଦୀପ ଜାଳି ଶ୍ରୀରାମଙ୍କ ନଗରୀ ଗିନିଜ ବୁକ ଅଫ ରେକର୍ଡରେ ନୂଆ କୀର୍ତିମାନ ସ୍ଥାପନ କରିଛି । ସରଜୁ ନଦୀର ବିଭିନ୍ନ ଘାଟରେ ଏହି ୨୬ ଲକ୍ଷ ୧୧ ହଜାର ୧୦୧  ଦୀପ ଲାଗିଛି । ଝଲସୁଛି ଅଯୋଧ୍ୟା ନଗରୀ । ଏଥିପାଇଁ  ଗିନିଜ  ବୁକ ଅଫ ୱାଲ୍ଡ ରେକର୍ଡର ଅଧିକାରୀ ଅଯୋଧ୍ୟାରେ ଉପସ୍ଥିତ ଥିଲେ । କେବଳ ଏତିକି ନୁହେଁ ସରଜୁ ନଦୀ ତଟରେ ୨୧୦୦ ଶହ ବେଦାଚାର୍ୟ୍ୟଙ୍କ ମହାଆରତୀ ଓ ମନ୍ତ୍ର ଉଚ୍ଚାରଣ ନୂଆ ଶକ୍ତି ସୃଷ୍ଟି କରିଛି । ଦୀପୋତ୍ସବରେ ଦୁଇଟି ବିଶ୍ବ ରେକର୍ଡ ପ୍ରତିଷ୍ଠା ହୋଇଛି । ୨୦୧୭ରେ ଅଯୋଧ୍ୟାରେ ଏହି ଦୀପ ଉତ୍ସବର ଆରମ୍ଭ ହୋଇଥିଲା । ଏହିବର୍ଷ ୧ ଲକ୍ଷ ୭୧ ହଜାର ଦୀପ ଲଗାଯାଇଥିଲା । ଏବେ ଅଯୋଧ୍ୟା ରେ  ୨୬ଲକ୍ଷରୁ ଅଧିକ ଦୀପ ଜଳାଇ ନୂଆ ରେକର୍ଡ ସ୍ଥାପନ କରିଛି । ସରଜୁ ନଦୀର ୫୬ଟି ଘାଟରେ ସ୍ୱଂୟ ସେବକ ଏହି ଦୀପ ଲଗାଇଛନ୍ତି । ଦୀପୋତ୍ସାବକୁ ଅଧିକ ଭବ୍ୟ ଓ ଆକର୍ଷଣୀୟ କରିବାକୁ  ୧୧ ଶହ ସ୍ବଦେଶୀ ଡ୍ରୋନ ଲଗାଯାଇଛି । ଏହି ଡ୍ରୋନ ଅଯୋଧ୍ୟାର ଆକାଶରେ ରାମାୟଣର ବିଭିନ୍ନ କଥାବସ୍ତୁକୁ ଲେଜର ସୋ  ଜରିଆରେ ପ୍ରଦର୍ଶିତ କରିଛି । ଲାଇଟ ଆଣ୍ଡ ଲେଜର ସୋ ଅଯୋଧ୍ୟାକୁ ଅଧିକ ଆକର୍ଷଣୀୟ କରିଛି । ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗଦେଇଥିଲେ ।  ଅଯୋଧ୍ୟାରେ ଆଜି ଦୁଇଟି କୀର୍ତ୍ତିମାନ ସ୍ଥାପିତ ହୋଇଛି । ୨୬ ଲକ୍ଷରୁ ଅଧିକ ଦୀପ ଜଳାଇ ଓ ୨୧ଶହ ବେଦାଚାର୍ୟ୍ୟଙ୍କ ମହାଆରତୀ କରି ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ଅଯୋଧ୍ୟା । 

Advertisment