କନକ ବ୍ୟୁରୋ : ବିଗୁଡୁଛି ଲଦାଖର ସ୍ଥିତି, ବିଶେଷ କରି ଲଦାଖର ଯୁବ ଓ ଛାତ୍ର ଯାହାକୁ ଜେନ-ଜି ବୋଲି କୁହାଯାଉଛି ସେମାନେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରି ହିଂସକ ପ୍ରଦର୍ଶନ କରୁଛନ୍ତି । ହଜାର ହଜାର ଜେନ-ଜି ସଡ଼କ ଉପରକୁ ଓହ୍ଲାଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ରହିଛି ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା । ଅଭିଯୋଗ ରହିଛି ୨୦୧୯ ରେ ଯେତେବେଳେ ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ବୋଲି ଘୋଷଣା କରାଗଲା ସେତେବେଳେ ଲଦାଖବାସୀଙ୍କୁ ବିଶେଷ ଅଧିକାର ଦିଆଯିବ । ସାମ୍ବିଧାନିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯିବ । ହେଲେ ୬ ବର୍ଷ ବିତି ଯାଇଥିଲେ ବି ଲଦାଖବାସୀଙ୍କୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ନାମରେ ପ୍ରତାରଣା କରିଛନ୍ତି । ଦୀର୍ଘ ୬ ବର୍ଷ ପରେ ଧର୍ୟ୍ୟହରା ହୋଇପଡ଼ିଛନ୍ତି ଲଦାଖର ଜେନ-ଜି । ଆଉ ସାମାଜିକ କର୍ମୀ ସୁନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ସଡ଼କକୁ ଓହ୍ଲାଇ ହିଂସକ ପ୍ରଦର୍ଶନ କରିଛନ୍ତି । ବିଏସଏଫର ଗାଡି ପୋଡିଛନ୍ତି, ବିଜେପି କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏବେ ଆସନ୍ତୁ ଦେଖିବା ଲଦାଖବାସୀଙ୍କର କ'ଣ ରହିଛି ଦାବି
- ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳୁ
- ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରାଯାଉ
- ଲେହ ଓ କାରର୍ଗିଲକୁ ଲୋକସଭା ଆସନ ଘୋଷଣା କରାଯାଉ
- ଜନଜାତିଙ୍କୁ ଆଦିବାସୀର ମାନ୍ୟତା ମିଳୁ
ଏସବୁ ଦାବିକୁ ନେଇ ହିଂସକ ପ୍ରଦର୍ଶନ ହେବା ପରେ ସରକାର ଜନତାଙ୍କ ଦାବି ଉପରେ ବିଚାର କରିବା ପରିବର୍ତ୍ତେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା କଛି ଏନଜିଓକୁ ବ୍ୟାନ କରିଛନ୍ତି । ସରକାର ଅଭିଯୋଗ କରିଛନ୍ତି କି ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ହିଂସକ ପ୍ରଦର୍ଶନ କରାଯାଇଥିଲା । ଏହାସହ ୱାଙ୍ଗଚୁକ ଚଳାଉଥିବା ଏନଜିଓକୁ ବିଦେଶୀ ଫଣ୍ଡିଂ ମିଳୁଛି । ଏଠାରେ କହିବାକୁ ଚାହୁଁ ଯେ ଏନଜିଓ ଗୁଡିକ ବେସରକାରୀ । ହେଲେ ସେ କି ପ୍ରକାର କାର୍ୟ୍ୟ କରୁଛି, ଟଙ୍କା କେଉଁଠୁ ଆସୁଛି ତାହା ଉପରେ ନଜର ରଖିବା ସରକାରଙ୍କ କାମ । ହେଲେ ୱାଙ୍ଗଚୁକଙ୍କ ଏନଜିଓ ଦୀର୍ଘବର୍ଷ ହେବ ଚାଲୁଥିବା ବେଳେ ସରକାର ଓ ସରକାରଙ୍କ ଯାଂଚ ଏଜେନ୍ସି କିଭଳି ଜାଣିପାରୁନଥିଲା ଯେ ଏହି ଏନଜିଓ ବେଆଇନଭାବେ ବିଦେଶୀ ଫଣ୍ଡିଂ ଆଣୁଛି । ଏହା ସରକାରଙ୍କ ବିଫଳତା ନୁହେଁ କି ? ନା ଲଦାଖବାସୀଙ୍କ ସ୍ୱର ପାଲଟିଥିବା, ଲଦାଖର ଜନସାଧାରଣଙ୍କ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଲଢେଇ ଜାରି ରଖିଥିବା ଏହି ସାମାଜିକ କର୍ମୀଙ୍କ କଣ୍ଠରୁଦ୍ଧ କରିବାକୁ ସରକାର ତାଙ୍କୁ ଗିରଫ କରିଛନ୍ତି ।
ଦର୍ଶକ ବନ୍ଧୁ ଲଦାଖରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରି ହିଂସକ ପ୍ରଦର୍ଶନ ହେଉ, ବିହାରରେ ନିଯୁକ୍ତିକୁ ନେଇ ଜେନ-ଜି ପ୍ରଦର୍ଶନ ହେଉ କି ଉତ୍ତରାଖଣ୍ଡରେ ପେପର ଲିକକୁ ନେଇ ପ୍ରଦର୍ଶନ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଧିକାର ପାଇଁ ପ୍ରଦର୍ଶନ କରିବାକୁ ସମସ୍ତଙ୍କର ଅଧିକାର ରହିଛି । ହେଲେ ପ୍ରଦର୍ଶନ ହିଂସକ ନହେଉ, ରାଷ୍ଟ୍ରର ସମ୍ପତ୍ତି ନଷ୍ଟ କରାନଯାଉ ଏହା ଉପରେ ପ୍ରଦର୍ଶନକାରୀଙ୍କ ଧ୍ୟାନ ରହିବା ନିହାତି ଜରୁରୀ । ଏହାସହ କ୍ଷମତା ଲୋଭୀ ରାଜନୈତିକଦଳର ନେତୃତ୍ୱମାନେ ବି ଏହା ଉପରେ ଧ୍ୟାନ ଦେବା ଜରୁରୀ କି ଯାହା ଆପଣ କରିନପାରିବେ ସେଭଳି ପ୍ରତିଶ୍ରୁତି ଦେବାରୁ ବିରତ ରୁହନ୍ତୁ । କାରଣ ଆପଣ ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରୁଛନ୍ତି । ସରକାର ଗଠନ କରୁଛନ୍ତି, ହେଲେ ଆପଣଙ୍କ ମିଥ୍ୟା ପ୍ରତିଶ୍ରୁତି ଯେତେବେଳେ ପ୍ରତାରଣାରେ ପରିଣତ ହେଉଛି ସେତେବେଳେ ଦେଶର ନାଗରିକ ରାସ୍ତାକୁ ଓହ୍ଲାଉଛନ୍ତି, ରାଷ୍ଟ୍ରର ସମ୍ପତ୍ତି ନଷ୍ଟ କରୁଛନ୍ତି ଓ ଭାରତ ଭଳି ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି ।