କନକ ବ୍ୟୁରୋ: ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏଥିସହ ଶିଶୁ ବାଟିକାରେ ପଢ଼ୁଥିବା ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେବ । ଏଥିପାଇଁ ୫୭୦ କୋଟିର ବଜେଟ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ମଧ୍ୟାହ୍ନ ଭୋଜନ କେମିତି ବଣ୍ଟନ କରାଯିବ ସେ ନେଇ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନି । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ବିଦ୍ୟାଳୟ ଗୁଡିକରେ ଭୋଜନ ଦିଆଯାଉଥିଲା । ଏବେ ଆଉ ତିନିଟି ଶ୍ରେଣୀ ବୃଦ୍ଧି ହେବା ପରେ କିଏ ମଧ୍ୟାହ୍ନ ଭୋଜନ ରୋଷଇ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି ।
ଗତ ୧ ଏପ୍ରିଲ ରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା । ଏଠାରେ ବି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଲଡୁ ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏତେ କମ ମଜୁରୀରେ ରୋଷେଇ ସହ ଲଡୁ କେମିତି ତିଆରି କରି ପିଲାଙ୍କୁ ଦେବେ ବୋଲି ପ୍ରଶ୍ନ କରିଛି ପାଚିକା ସଂଘ ।
କୌଣସି ଆଗୁଆ ବ୍ୟବସ୍ଥା ନକରି କେବଳ ଘୋଷଣା କରିଦେଲେ ସରକାର । ରୋଷେଇ ପାଇଁ କୌଣସି ଅର୍ଥ ଏଯାବତ୍ ସ୍କୁଲକୁ ଆସିନାହିଁ । ଶହେ ପିଲାଙ୍କ ରୋଷେଇ ପାଇଁ ୨ଜଣ ପାଚିକା ନିୟୋଜିତ । ଅଧିକ ପିଲା ହେଲେ ଅତିରିକ୍ତ ପାଚିକା ଆବଶ୍ୟକ । ଏ ଯାଏଁ ସ୍କୁଲଗୁଡ଼ିକରେ ପାଚିକାଙ୍କ ଅଭାବ ପୂରଣ ହୋଇନାହିଁ । ଏବେ ଆହୁରି ତିନି ଶ୍ରେଣୀ ପିଲାଙ୍କ ରୋଷେଇ ପାଇଁ ପାଚିକା ଆସିବେ କେଉଁଠୁ ? କେମିତି ହେବ ରୋଷେଇ ? ସେପଟେ ଏନେଇ ମନ୍ତ୍ରୀଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ ।
ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଜଣେ ପାଚିକା ଦିନ ପିଛା ପାଉଛନ୍ତି ୬୬ ଟଙ୍କା ୬୬ ପାଇସା । ଏବେ ଅଧିକ ପିଲାଙ୍କ ପାଇଁ ରୋଷେଇ କଲେ ଅଧିକ ଟଙ୍କା ଦାବି କରିଛନ୍ତି ପାଚିକା । ଏଭଳି ସ୍ଥଳେ ସରକାର ଘୋଷଣା କରି ଚୁପ ବସିପଡିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।