କନକ ବ୍ୟୁରୋ : ନୂଆ ଶିକ୍ଷାବର୍ଷ ଆରମ୍ଭରୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ । ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ଏଭଳି ନିଷ୍ପତ୍ତି ହୋଇଛି ।

Advertisment

ଏହା ସହ ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡିଲେ ସମ୍ପୃକ୍ତ କଲେଜକୁ ବି ବନ୍ଦ କରିଦିଆଯିବ ବୋଲି ଉଲ୍ଲେଖ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଅନୁମତି ପ୍ରଦାନ ଦିଗରେ ମଧ୍ୟ କଠୋର ହୋଇଛି ଉଚ୍ଚଶିକ୍ଷା ବିଭାଗ । ସ୍ଥାୟୀ ଅନୁମୋଦନ ପାଇଁ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ । ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ଯେଉଁଥିରେ ୧୩ଟି ପ୍ରଫେସନାଲ୍‌ କଲେଜ ମଧ୍ୟ ରହିଛି ।

ଏହାବ୍ୟତୀତ ୧୩ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ୍‌ କରିଛି । ଯୁଗ୍ମ କମିଟି ସଦସ୍ୟଙ୍କ ମିଳିତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିବ । ଯାଞ୍ଚ ହୋଇନଥିବା ପ୍ରସ୍ତାବଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ଯୁଗ୍ମ ଯାଞ୍ଚ କମିଟିକୁ ପଠାଯିବ । ସମ୍ପୃକ୍ତ କଲେଜଗୁଡ଼ିକୁ ସ୍ଥାୟୀ ଅନୁମୋଦନ ମିଳିବ କି ନାହିଁ ତାହା ଉପରେ କମିଟି ନିଷ୍ପତ୍ତି ନେବ । ଗତ ତିନିଟି ଶିକ୍ଷାବର୍ଷରେ ସ୍ଥାୟୀ ଅନୁମୋଦନ ପାଇଁ ଆସିଥିବା ୨୫ଟି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କମିଟି ଅନୁମତି ଦେଇ ନାହିଁ ।