କନକ ବ୍ୟୁରୋ: ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତାଙ୍କ କହିବା ମୁତାବକ, ୨୦୨୪-୨୫ ଆର୍ଥିକ ବର୍ଷରେ ୪୩୬୧ ଥର ଚଢ଼ାଉ କରି ୪୬୭୬ ଟି ଗାଡ଼ି ଜବତ କରାଯାଇଛି । ଏ ବାବଦରେ ୪୮ କୋଟିରୁ ଅଧିକ ଟଙ୍କା ଜୋରିମନା ଆଦାୟ କରାଯାଇଛି । ଏହାସହ ୨୦୨୫-୨୬ ଆର୍ଥିକ ବର୍ଷରେ ଜୁଲାଇ ୩୧ ତାରିଖ ଭିତରେ ୨୮୭୩ ଥର ଚଢ଼ାଉ କରାଯାଇ ୧୮.୪୧ କୋଟି ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ବିଧାୟକ ରମେଶ ବେହେରା ଏନେଇ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ବାଲିଘାଟଗୁଡିକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଧିଷ୍ଟ ଭାବେ ମନା କରିଛନ୍ତି କି? ତା ସତ୍ତ୍ୱେ ରାତିରେ ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା କଥା ବିଷୟରେ ସରକାର ଅବଗତ ଅଛନ୍ତି କି? ଏବଂ ଏହାକୁ ରୋକିବାକୁ କି ପଦକ୍ଷେପ ଗ୍ରହଣ କରାଯାଇଛି?
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବାଲି ଚୋରା ଚାଲାଣ ହେଉଥିବା ନଜର ଆସିଲେ ଖଣି ବିଭାଗ କର୍ମଚାରୀଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇ ଜୋରିମନା ଆଧାୟ କରାଯାଉଛି । ସମସ୍ତ ଜିଲ୍ଲାରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଯାଞ୍ଚଗୁଡ଼ିକ ଆହୁରି କଡାକଡ଼ି କରିବା ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ, ଉପଖଣ୍ଡସ୍ତରୀୟ ଏବଂ ତହସିଲ ସ୍ତରୀୟ କମିଟି ଗଠନ କରାଯାଇଛି । ଏହାସହ ଲିଜଧାରୀମାନଙ୍କୁ ନିଜ ନିଜ ଖଣି ପରିସରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଏବଂ ସୂଚନାଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
Follow Us