କନକ ବ୍ୟୁରୋ ; ପ୍ରଶାସନ ଚଢାଉ କଲେ ମହଜୁଦ କୋଇଲା ରେକର୍ଡରୁ କମ ବାହରୁଛି, ଗଣମାଧ୍ୟମ ଗଲେ ଚୋରା କୋଇଲା ବାହରୁଛି । କୋଇଲା ଚୋରି ଖବର କନକ ନ୍ୟୁଜରେ ବାରମ୍ୱାର ପ୍ରସାରଣ ପରେ ଚିଠି ଲେଖି ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପ୍ରଶାସନ ଆକ୍ସନ ମୋଡ଼କୁ ଆସି ଚଢ଼ାଉ ଆରମ୍ଭ କଲେ ।
ଏପ୍ରିଲ ୯ରେ ବସୁନ୍ଧରା ମେଟାଲିକ୍ସ ସ୍ପଞ୍ଜ ଆଇରନ ଓ ଭାଟିଆ ଏନର୍ଜି ଆଣ୍ଡ ମିନିରାଲ୍ସ ଉପରେ ଚଢାଉ । ବସୁନ୍ଧରାରେ ୨୨୭ ଓ ଭାଟିଆରେ ୩୩୯ ମେଟ୍ରିକ ଟନ୍ କୋଇଲା କମ ଥିବା ଦର୍ଶାଇଥିଲା ପ୍ରଶାସନ । ଏପ୍ରିଲ ୧୦ରେ ଏସିବି ଇଣ୍ଡିଆ ଲିମିଟେଡ ଉପରେ ଚଢ଼ାଉ, ୨୮୦୩ ମେଟ୍ରିକ ଟନ୍ କମ କୋଇଲା ଥିବା ରିପୋର୍ଟ ଦେଇଛି ପ୍ରଶାସନ। ହେଲେ ୫ଦିନ ପରେ ଆରୟନ କୋଲ ୱାସେରିର ଚୋରାରେ ଗଛିତ କୋଇଲା ଠିକଣାରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ୱାସେରିରୁ ୨ କିଲୋମିଟର ଜଙ୍ଗଲ ଭିତରେ ୧୦ ହଜାର ମେଟ୍ରିକ ଟନ କୋଇଲା ଲୁଚାଇଥିଲା କଂପାନୀ । ପ୍ଲାଣ୍ଟ ପଛ ପଟେ ଲୁଚାଇଥିବା ଦେଢ଼ ଲକ୍ଷରୁ ଅଧିକ ଟନର ବିଶୋଧିତ କୋଇଲା ବି ଧରାପଡ଼ିଥିଲା। ତେଣୁ ପ୍ରଶାସନ ଖଣି ଚୋରଙ୍କୁ ଧରିବା ପାଇଁ କରୁଥିବା ଚଢ଼ାଉ ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ।
କନକ ନ୍ୟୁଜରେ ୱାସେରିର ଏହି ଚୋରା କୋଇଲା ଖବର ପ୍ରସାରଣ ପରେ ପୁଣି ୱାସେରିରେ ଚଢ଼ାଉ ହୋଇଛି । ଆରୟନ କୋଲ ୱାସେରିକୁ ସିଲ୍ କରିବା ସହ ଲାଇସେନ୍ସ ରଦ୍ଦ କରି ହେମଗିରି ଥାନାରେ ଏତଲା ଦେଇଛନ୍ତି ଖଣି ନିର୍ଦ୍ଦେଶକ। ହେଲେ ଆରୟନ କଂପାନିର ଜିଏମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପୋଲିସ ଓ ପ୍ରଶାସନର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟ କରିଛି ।
କୋଇଲା କେଳେଙ୍କାରୀର କଥା ଏତିକିରେ ସରିନାହିଁ। ପ୍ରଦୂଷଣ ବିଭାଗ କୋଲ ୱାସେରି ଚଳାଇବା ପାଇଁ ୨୦୨୫ ଫେବ୍ରୁଆରି ୨୨ ଯାଏଁ ଅନୁମତି ଦେଇଥିଲା। କଂପାନୀ ଅନୁମତି ନବୀକରଣ କରିବା ପାଇଁ ଆବେଦନ କରିଥିଲେ ବି ମିଳିନାହିଁ । ତେଣୁ ପ୍ରଦୂଷଣ ବିଭାଗର ବିନା ଅନୁମତିରେ କେମିତି କୋଲ ୱାସେରି ଏପର୍ଯ୍ୟନ୍ତ ଚାଲିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।