କନକ ବ୍ୟୁରୋ: ପ୍ରଥମେ ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କ ବେକରେ ଯୁଆଳି ଯୋଚି, ବଳଦ ପରି ହଳ ବୁଲାଉଥିବାର ଖବର ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ବି ନିଆଁଭଳି ଭାଇରାଲ୍ ହେଲା । ଆଉ କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ପ୍ରଶାସନ ଚେତିଲା । କଙ୍ଗାରୁ କୋର୍ଟର ଏହି ସମ୍ବେଦନଶୀଳ ଖବରକୁ ନେଇ ମାମଲା ହୋଇଛି । କୋରାପୁଟ ଜିଲ୍ଲା ଏବଂ ରାୟଗଡ଼ାରେ ଘଟିଥିବା ଦୁଇଟି ଯାକ ଘଟଣାରେ ପ୍ରଶାସନ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି । 

Advertisment

ଯେଉଁମାନେ ଘଟଣାସ୍ଥଳରେ ରହି ପୂରା ଦୃଶ୍ୟକୁ ଉପଭୋଗ କରୁଥିଲେ, ବିରୋଧ ବଦଳରେ ଏହାର ମଜ୍ଜା ଉଠାଉ ଥିଲେ । ସେ ସମସ୍ତଙ୍କର ଚେହେରା ବି ଭିଜୁଆଲରେ ଜଳଜଳ ହୋଇ ଦିଶୁଛି । ବିଶେଷ କରି ସର୍ଦ୍ଦାର ସାଜିଥିବା ଗାଁ ମୁଖିଆ ଏହାର ମୁଖ୍ୟ କାର୍ପଟଦାର ଥିବା ଜଣାପଡ଼ିଛି । ପ୍ରଶାସନ ରୁଜୁ କରିଛି ମାମଲା, ହେଲେ ଏବେ ବି ଅଭିଯୁକ୍ତ ବୁଲୁଛନ୍ତି ଖୁଲମଖୁଲା ।

ସେପଟେ କଙ୍ଗାରୁକୋର୍ଟ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ବିଧାନ ଭଳି ଘଟଣାକୁ ଏକ ଅନୈତିକ ଓ ଘୃଣ୍ୟ ପ୍ରଥା କହି ନିନ୍ଦା କରିଛନ୍ତି । ଏହିଭଳି କାର୍ଯ୍ୟକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ । ଯିଏ କେହି ଏହିଭଳି ଅନୈତିକ କାମ କରିବ ଆଇନକୁ ହାତକୁ ନେବ ତାଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, କଙ୍ଗାରୁ କୋର୍ଟ ପାଇଁ କଡ଼ା ଦଫାରେ ମାମଲା ରୁଜୁ କରିବାର ପ୍ରାବଧାନ ରହିଛି । 

  • ଆପରାଧିକ ଷଡ୍‌ଯନ୍ତ୍ର
  • ସଂଗଠିତ ଅପରାଧ
  • ମାନହାନି ମକଦ୍ଦମା
  • ହତ୍ୟା ଉଦ୍ୟମ
  • ଜୀବନରୁ ମାରି ଦେବାକୁ ଧମକ
  • ଦଙ୍ଗା ସୃଷ୍ଟି ପାଇଁ ଉସୁକାଇବା
  • ଘୃଣା ଭାବନା ସୃଷ୍ଟି କରାଇ ସାର୍ବଜନୀନ ଶାନ୍ତି ବିପର୍ଯ୍ୟସ୍ତ କରିବା
  • ବଟି ଆଦାୟ କରିବା 

ଆଜିର ଦିନରେ ବି ଲୋକମାନେ ବିଚ୍ ରାସ୍ତାରେ ଆଇନର ଧଜିଆ ଉଡ଼ାଉଛନ୍ତି । ଆଇନକୁ ହାତକୁ ନେଉଛନ୍ତି । ପୁଲିସ ଆଉ ପ୍ରଶାସନ ସବୁ କିଛି ଦେଖି ଯେମିତି ଆଖି କାନ ବନ୍ଦ କରି ଦେଇଛି । ପ୍ରଶ୍ନ ଉଠୁଛି,  କେବେ ସଚେତନ ହେବେ ଲୋକେ?  ଆଉ କେବେ ବନ୍ଦ ହେବ କଙ୍ଗାରୁକୋର୍ଟ ?