କନକ ବ୍ୟୁରୋ : ସରକାର ସମ୍ପତ୍ତି ତାଲିକା ମାଗୁଛନ୍ତି, ହେଲେ ବାବୁ ତାଲିକା ଦେବାକୁ ନାରାଜ । ବାରମ୍ବାର ତାଗିଦ ସତ୍ତ୍ୱେ ଅମାନିଆ ବାବୁ ନିଜ ଜିଦରେ ଅଟଳ । ଡେଡଲାଇନ ପୁରିବାକୁ ଆଉ ହାତରେ ମାତ୍ର କେଇଟା ଦିନ । ହେଲେ ଏବେ ବି ଲକ୍ଷାଧିକ ସରକାରୀ ବାବୁ ସମ୍ପତ୍ତି ତାଲିକା ନଦେଇ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଇଛନ୍ତି । ସତେ ଯେମିତି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଟିକିଏ ବି ଭୟ ନାହିଁ ।

Advertisment

ପ୍ରଥମେ ଡେଡଲାଇନ ଘୁଞ୍ଚିଲା,ଏବେ ସରିବାକୁ ବସିଲାଣି । ହେଲେ ସରକାରୀ ବାବୁଙ୍କର ନିଦ ଭାଙ୍ଗୁନି । ସରକାରଙ୍କ ନାଲିଆଖିକୁ ବି ଭୟ ନାହିଁ । ସମ୍ପତ୍ତି ତାଲିକା ନ ଦେବାକୁ ଯେମିତି ମନସ୍ଥିର କରିଛନ୍ତି ଲକ୍ଷାଧିକ ସରକାରୀ ବାବୁ । ବିଧାନସଭାରୁ ଆସିଥିବା ଉତ୍ତରରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସିଏମ୍‌ଜିଆଇରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି । ପ୍ରଶ୍ନ ଉଠୁଛି, ସମ୍ପତ୍ତି ତାଲିକା ଦାଖଲ ନକରି କ’ଣ ଲୁଚାଇବାକୁ ଚାହୁଛନ୍ତି ବାବୁ ? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି କି ଅମାନିଆ ବାବୁ ? କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି କୁନ୍ଥକୁନ୍ଥ ସରକାର ?

ଅଧିକ ପଢ଼ନ୍ତୁ : ଗ୍ୟାସ୍ ଡିପୋରେ ଭିଡ଼; ବଢ଼ୁଛି ଗ୍ୟାସ୍ ବୁକିଂ ସଂଖ୍ୟା

ଜାନୁଆରି ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଅବଧି ସରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେଇ ମାର୍ଚ୍ଚ ୩୧ ଯାଏଁ ଡେଡଲାଇନ ବଢାଇଛନ୍ତି ସରକାର । କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ବାବୁମାନେ ସରକାରଙ୍କ ଚେତାବନୀକୁ ମାନିବେ ତ ? ଅନ୍ୟପଟେ କାର୍ଯ୍ୟାନୁଷ୍ଠାନର ଭୟ ନଥିବାରୁ ବାବୁଙ୍କ ମନମାନି ବଢୁଥିବା କହିଛନ୍ତି ବିରୋଧୀ ।

ଅନେକ ବଡ଼ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉରେ ପୁଳା ପୁଳା ଆୟ ବର୍ହିଭୂତ ସମ୍ପତ୍ତି ବାହାରୁଛି । ତେଣୁ ଅମାନିଆ ବାବୁ ସମ୍ପତ୍ତି ତାଲିକା ନଦେବା ଯେତିକି ସନ୍ଦେହଜନକ ସେତିକି ପ୍ରଶ୍ନବାଚୀ । କଳାଧନକୁ ସୁରକ୍ଷା ଦେବାକୁ ସମ୍ପତ୍ତି ତାଲିକା ଦେଉନାହାନ୍ତି କି ବାବୁ ?