କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅନୁଦାନ ଆସୁଛି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ନୂତନ ଗୃହ । କାରଣ ସରକାର ଦେଉଥିବା ଅର୍ଥ ଅଣ୍ଟୁନାହିଁ। ଆବଶ୍ୟକ ଜିନିଷ ପାହାଡ଼ ଉପରକୁ ନେବା ପାଇଁ ମାତ୍ରାଧିକ ଖର୍ଚ୍ଚ ହେଉଛି। ଏଣୁ ଧାର୍ଯ୍ୟ ଅର୍ଥରେ ଗୃହ ନିର୍ମାଣ ହୋଇପାରିବନି ବୋଲି ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଜଣାଇଛନ୍ତି ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ ଆଦିବାସୀ।
କିଛି ଘର ଅଧାରେ ଅଟକିଛି। ଆଉ କିଛି ହିତାଧିକାରୀ ଘର କାମ ଆରମ୍ଭ କରିପାରିନାହାନ୍ତି। ସରକାର ଆବାସ ଯୋଜନାରେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଉଛନ୍ତି । ପକ୍କାଘର ନିର୍ମାଣରେ ସେତିକି ଟଙ୍କା ଅଣ୍ଟୁନାହିଁ । ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ କିଣି ୩୦ରୁ ୩୫ କିଲୋମିଟର ପାହାଡ଼ ଉପରକୁ ନେବା ବେଳକୁ ୩ ଗୁଣ ଅର୍ଥ ଖର୍ଚ୍ଚ ହୋଇଯାଉଛି । ତେଣୁ ଗୃହ ନିର୍ମାଣ ଅନୁଦାନ ୩ ଲକ୍ଷକୁ ବୃଦ୍ଧି କରିବାକୁ ଦାବି ହୋଇଛି ।
ଖାଲି ଆବାସ ଯୋଜନା ନୁହେଁ, ଅଧିକାଂଶ ଡଙ୍ଗରିଆଙ୍କ ଆଧାର କାର୍ଡ ନାହିଁ । ଫଳରେ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପିଲାମାନେ ଶିକ୍ଷାରୁ ବଞ୍ଚିତ! ପାଠ ପଢ଼ିବାକୁ ବିଦ୍ୟାଳୟ ଯାଇପାରୁନଥିବା ଅଭିଯୋଗ ଆସିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳୁନି । ଏ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଡଙ୍ଗରିଆ ଆଦିବାସୀ ।
ରାୟଗଡ଼ାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକରେ ପ୍ରାୟ ୧୫ ହଜାର ଡଙ୍ଗରିଆ କନ୍ଧ ବସବାସ କରନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୯୧୪ ଜଣ ହିତାଧିକାରୀଙ୍କୁ ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ହେଲେ ସରକାର ଦେଉଥିବା ଅର୍ଥ ଅଣ୍ଟୁନଥିବାରୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡଙ୍ଗରିଆଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/20/19-2025-08-20-17-46-10.jpg)