କନକ ବ୍ୟୁରୋ: ଏଥର ଧାନ କିଣାରେ ରେକର୍ଡ କରିଛନ୍ତି ସରକାର । ଏହାଛଡ଼ା ଏମଏସପି ବୃଦ୍ଧି ପଡ଼ୋଶୀ ରାଜ୍ୟର ଚାଷୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଛି । ତେଣୁ ମିଲର୍ସ ପଡ଼ୋଶୀ ରାଜ୍ୟରୁ ଧାନ ଆଣି ଓଡ଼ିଶାରେ ବିକିଛନ୍ତି । ଫଳରେ ଓଡ଼ିଶା କିଛି ଚାଷୀ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି । ଏହାକୁ ବନ୍ଦ କରିବାକୁ ସରକାର ଆଗାମୀବର୍ଷଠାରୁ ଚାଷୀଙ୍କ ଇ-କେୱାଇସି କରିବେ ।
- ରବି, ଖରିଫ ଧାନ କିଣାରେ ରେକର୍ଡ
- ପଡ଼ୋଶୀ ଚାଷୀ ଧାନ ବିକି ହେଲେ ମାଲାମାଲ !
ରବି ଧାନ ପରେ ଖରିଫ ଧାନ ରେକର୍ଡ ସଂଖ୍ୟାରେ କିଣିଛନ୍ତି ସରକାର । ରବି ଧାନ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ୍ ରଖାଯାଇଥିଲାବେଳେ ସଂଗ୍ରହ ହୋଇଛି ୧୯ ଲକ୍ଷ ମେଟ୍ରିକ ଟନ୍ । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀଙ୍କୁ ରବି ଧାନରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏମ୍ଏସପି ଓ ଇନପୁଟ୍ ସହାୟତା ବାବଦରେ ପ୍ରଦାନ କରୁଛି । ଏଥିପାଇଁ ପଡ଼ୋଶୀ ରାଜ୍ୟର ଚାଷୀଙ୍କ ଆଖି ପଡ଼ିଛି ଓଡ଼ିଶା ଉପରେ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଖରିଫ ଋତୁରେ ଧାନ କିଣା ଯାଉନଥିବାରୁ ଏହି ଧାନ ବରଗଡ଼ରେ ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ମିଲର୍ସମାନେ ସେଠାରୁ ୧୬ଶହ ଟଙ୍କାରେ ଧାନ କିଣି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ ବିକ୍ରି କରିଛନ୍ତି । ମିଲର୍ସ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଛତିଶଗଡ଼ରୁ ଧାନ ବରଗଡ଼ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଧାନ ଯାଉଛି। ଫଳରେ ଓଡିଶାର ଚାଷୀଙ୍କ ଧାନ କିଣିବାରେ ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
- ଧାନ କିଣାରେ ସ୍ବଚ୍ଛତା ଆଣିବେ ସରକାର
- ଆଗାମୀ ବର୍ଷରୁ ଚାଷୀଙ୍କର ହେବ ଇ-କେୱାଇସି
ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ-କେୱାଇସି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛନ୍ତି ସରକାର । ସୋମବାର କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ପ୍ରକୃତ ଚାଷୀ କିଭଳି ଉପକୃତ ହୋଇପାରିବେ ତା’ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ । ଏହାବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି ।
ରାଜ୍ୟବାସୀଙ୍କ ନିଜସ୍ଵ ବିନିଯୋଗ ପାଇଁ ୨୭ ଲକ୍ଷ ମେଟ୍ରିକ ଟନର ଚାଉଳ ଆବଶ୍ୟକ ହୋଇଥାଏ । କିନ୍ତୁ ରାଜ୍ୟରେ ଚଳିତ ବର୍ଷ ଖରିଫ ଓ ରବି ଧାନକୁ ମିଶାଇ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ସେଥିରୁ ହାରାହାରି ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରସ୍ତୁତ ହେବ । ଯାହା ରାଜ୍ୟର ଚାହିଦା ଠାରୁ ଢ଼େର ଅଧିକ । ବଳକା ଚାଉଳର ସୁପରିଚାଳନା ପାଇଁ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା ।