କନକ ବ୍ୟୁରୋ: ଏଲଆଇସି ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ । ଆମ ଦେଶରେ ଅନେକ ଲୋକ ନିଜର ଲାଇଫ୍ ଇନ୍ସ୍ୟୁରାନ୍ସ ପାଇଁ ଏଲଆଇସିକୁ ବାଛିଥାନ୍ତି । ଆଉ ଏବେ ସେହି ଏଲଆଇସିକୁ ନେଇ ଆସିଛି ବଡ଼ ଖବର । ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସିରୁ ନିଜର ଅଂଶଧନ ବିକ୍ରି କରିପାରନ୍ତି କେନ୍ଦ୍ର ସରକାର । ରିପୋର୍ଟ ଅନୁସାରେ, ଏଲଆଇସିରେ ଥିବା ନିଜର ଅଂଶଧନ ଭିତରୁ ୩ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାର ବିକ୍ରି କରିପାରନ୍ତି । ଯେଉଁଥିରେ କି ମୋତିଲାଲ ଓସଓ୍ୱାଲ ଆଉ IDBI କ୍ୟାପିଟାଲ ବ୍ୟାଙ୍କର ଭୂମିକା ନେଇପାରନ୍ତି ।

Advertisment

ଏଲଆଇସିରେ ଏବେ କେନ୍ଦ୍ର ସରକାରଙ୍କର ମୋଟ ୯୬.୫ ପ୍ରତିଶତ ଅଂଶଧନ ରହିଛି । ଯାହା ଭିତରୁ ଅଢ଼େଇରୁ ତିନି ପ୍ରତିଶତ ସେୟାରକୁ କେନ୍ଦ୍ର ସରକାର ବିକ୍ରି କରିପାରନ୍ତି । ଯାହାଦ୍ୱାରା କି ସରକାର ଲାଭବାନ ହେବେ ବୋଲି ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ମାର୍କେଟକୁ ରେଗୁଲେଟ୍ କରୁଥିବା ସେବି ଏନେଇ ଏଲଆଇସି ସୂଚନା ଦେଇଥିଲା । ମେ ୧୬ ତାରିଖ ୨୦୨୭ ମସିହା ପୂର୍ବରୁ ଏଲଆଇସିର ପବ୍ଲିକ୍ ସେୟାର ହୋଲଡିଂକୁ ସାଢ଼େ ୩ ପ୍ରତିଶତରୁ ବଢ଼େଇ ଏହାକୁ ୧୦ ପ୍ରତିଶତ କରିବାକୁ କୁହାଯାଇଥିଲା । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ଅଢ଼େଇରୁ ୩ ପ୍ରତିଶତ ସେୟାର ବିକ୍ରି କରିବାକୁ ଯୋଜନା କରୁଛନ୍ତି ।

ଏଲଆଇସିରୁ ନିଜର ଅଂଶଧନ ବିକ୍ରି କଲେ, ସରକାରଙ୍କୁ ପାଖାପାଖି ୧୪ ହଜାର କୋଟିରୁ ୧୭ ହଜାର କୋଟି ମିଳିବ । ତେବେ ଏବେ ବି ସରକାରଙ୍କ ପାଖରେ ଏଲଆଇସିର ୯୬.୫ ପ୍ରତିଶତ ସେୟାର ରହିଛି । ତିନି ବର୍ଷ ତଳେ ସରକାର ନିଜ ସେୟାରରୁ ୩.୫ ପ୍ରତିଶତ ସେୟାରକୁ ଆଇପିଓ ଜରିଆରେ ବିକ୍ରି କରିଥିଲେ । ଆଉ ଏବେ ପୁଣିଥରେ ଅଢ଼େଇରୁ ତିନି ପ୍ରତିଶତ ସେୟାର କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।

ବର୍ତ୍ତମାନ ସମୟରେ ଏଲଆଇସିର ମାର୍କେଟ୍ କ୍ୟାପ୍ ପାଖାପାଖି ୫.୫୯ ଲକ୍ଷ କୋଟି ଟଙ୍କା ରହିଛି । ତେଣୁ ସରକାର ନିଜ ଅଂଶଧନ ଭିତରୁ ଅଳ୍ପ କିଛି ଅଂଶଧନ ବିକ୍ରି କଲେ ବି, ବହୁତ ବଡ଼ ପରିମାଣରେ ଟଙ୍କା ପାଇପାରିବେ । ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଏଲଆଇସି ସହିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ୍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ୍ ଅପ୍ ଇଣ୍ଡିଆର ମଧ୍ୟ କିଛି ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କେବେ ଏହି ବ୍ୟାଙ୍କର ଅଂଶଧନ ସରକାର ବିକ୍ରି କରୁଛନ୍ତି , ଏବେ ତାହା ଦେଖିବାକୁ ବାକି ରହିଲା ।