କନକ ବ୍ୟୁରୋ: ଆସନ୍ତା ୨୦୨୯ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରେ ମୋଦୀ ସରକାର । ଆସନ୍ତା ଲୋକସଭା ନିର୍ବାଚନରୁ ଦେଶରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଏପରି ହେଲେ ଲୋକସଭା ସହିତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରାଯିବ । ଯେଉଁଥିରେ  ମହିଳାମାନେ ନିର୍ବାଚିତ ହୋଇ ଲୋକସଭା ଏବଂ ବିଧାନସଭାରେ ପ୍ରତିନିଧିତ୍ୱ କରିବେ ।

Advertisment

ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ, ଜନଗଣନା ପାଇଁ ଘୋଷଣା ସରିଛି । ତେଣୁ ଆଗାମୀ ନିର୍ବାଚନରେ ଏହି ନୂଆ ନିୟମକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୩ ମସିହା ସେପ୍ଟେମ୍ବର ମାସରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସିଟ୍ ସଂରକ୍ଷିତ ହୋଇରହିବ । ଜନଗଣନା ପରେ ପରେ ଏନେଇ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଜନଗଣନା ପରେ ଦେଶରେ ଲୋକସଭା ସହିତ ରାଜ୍ୟମାନଙ୍କରେ ବିଧାନସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ପାଇଁ ଏହି ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । କେଉଁ ରାଜ୍ୟରେ ମହିଳାଙ୍କ ପାଇଁ ବିଧାନସଭାରେ କେତେ ସିଟ୍ ସଂରକ୍ଷିତ ରହିବ ଏବଂ ଲୋକସଭାରେ କେତେ ସିଟ୍ ସଂରକ୍ଷିତ ରହିବ ସେନେଇ ଧାର୍ଯ୍ୟ କରାଯିବ । ଏହାସହ କେଉଁ କେଉଁ ଲୋକସଭା ଏବଂ ବିଧାନସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ, ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ତେବେ ଏ କ୍ଷେତ୍ରରେ କିନ୍ତୁ ଦକ୍ଷିଣ ଭାରତର କିଛି ରାଜ୍ୟ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି ।

ଜନସଂଖ୍ୟା ଆଧାରରେ ଲୋକସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦକ୍ଷିଣ ଭାରତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ହେଲେ ଲୋକସଭାରେ ଦକ୍ଷିଣ ଭାରତର ସିଟ୍ ସଂଖ୍ୟା ହ୍ରାସ ପାଇବ ବୋଲି କୁହାଯାଉଛି ଆଉ ଉତ୍ତର ଭାରତର ସିଟ୍ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇବ । ଯାହାଦ୍ୱାରା ଦକ୍ଷିଣ ଭାରତର ମହତ୍ତ୍ୱ କମ୍ ହୋଇଯିବ ବୋଲି ରାଜନେତାମାନେ ଦାବି କରୁଛନ୍ତି ।

ତେବେ ଜାଣିରଖିବା ଉଚିତ ଯେ, ୧୯୭୧ ମସିହାର ଜନଗଣନା ଅନୁସାରେ ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ଧାର୍ଯ୍ୟ କରାଯାଇଛି । ୨୦୦୧ରେ ଏହା ପୁଣିଥରେ ହେବାକୁ ଥିଲେ ହେଁ, ଏହାକୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।  ୨୦୦୨ରେ ବାଜପେୟୀ ସରକାରର କହିବା କଥା ଥିଲା ଯେ, ଏହାଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରୋତ୍ସାହନ ମିଳିବ । ହେଲେ ଏବେ କେନ୍ଦ୍ରରେ ଥିବା ମୋଦୀ ସରକାର କିନ୍ତୁ ଏ ସପକ୍ଷରେ ନାହାନ୍ତି । ଲୋକସଭା ଏବଂ ରାଜ୍ୟ ବିଧାନସଭାର ସିଟ୍ ସଂଖ୍ୟା ବଢ଼ାଇବା ସହିତ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅଣ୍ଟା ଭିଡ଼ିଛି ମୋଦୀ ସରକାର ।