କନକ ବ୍ୟୁରୋ: ଆଜି ସଂସଦରେ ଆଗତ ହୋଇପାରେ ଜାମ୍ମୁ-କାଶ୍ମୀର ବିଲ୍‌ । ଜାମ୍ମୁ କାଶ୍ମୀରକୁ  ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ଲୋକସଭାରେ ବିଲ୍‌ ଆଗତ ହେବ। ଏକ ରିପୋର୍ଟ ଅନୁଯାୟୀ, ଏହି ବିଲ୍‌ ଆଗତ  ହେଲେ ୨୦୧୯ ପରଠୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଥିବା ଜମ୍ମୁ ଓ କଶ୍ମୀର ପାଇଁ ଏହା ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବ ।
ଗତ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଏବଂ ୩୫-ଏ'କୁ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିଦେଇଥିଲେ । ଏହା ସହିତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା - ବିଧାନସଭା ସହିତ ଜମ୍ମୁ ଓ କଶ୍ମୀର ଏବଂ ବିଧାନସଭା ବିହୀନ ଲଦ୍ଦାଖ । ଏହି ନିଷ୍ପତ୍ତି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ।

ରାଜ୍ୟ ପାହ୍ୟା ପାଇଁ ରାଜନୈତିକ ଚାପ

Advertisment

ଗତ ଅଗଷ୍ଟ ୭ ତାରିଖରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରାଜ୍ୟ ପାହ୍ୟା ଫେରାଇ ଆଣିବାକୁ ସମର୍ଥନ ଦେବା ପାଇଁ ବିଜେପି ସମେତ ସମସ୍ତ ଜାତୀୟ ଦଳକୁ ଚିଠି ଲେଖିଥିଲେ । ଚଳିତ ମୌସୁମୀ ଅଧିବେଶନରେ ଏକ ବିଲ୍ ଆଣିବାକୁ ସେ ନିବେଦନ କରିଥିଲେ । ନିଜ ଚିଠିରେ ସେ ଉଲ୍ଲେଖ କରିଥିଲେ, "ରାଜ୍ୟ ପାହ୍ୟା ଫେରାଇବାକୁ ଏକ ଆଶ୍ୱସ୍ତି ଭାବେ ଦେଖାଯିବା ଉଚିତ ନୁହେଁ, ବରଂ ଏହା ଏକ ଅତ୍ୟାବଶ୍ୟକ ସଂଶୋଧନମୂଳକ ପଦକ୍ଷେପ । ଏହା ଆମକୁ ଏକ ବିପଜ୍ଜନକ ସ୍ଥିତିରୁ ରକ୍ଷା କରିବ, ଯେଉଁଠାରେ ରାଜ୍ୟର ମାନ୍ୟତା ଏକ ସାମ୍ବିଧାନିକ ଅଧିକାର ନ ହୋଇ କେନ୍ଦ୍ର ସରକାରଙ୍କ ଇଚ୍ଛାଧୀନ ଅନୁଗ୍ରହରେ ପରିଣତ ହେବ ।"

ସୁପ୍ରିମକୋର୍ଟରେ ମାମଲା

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଜାରି ରହିଛି । ଅଗଷ୍ଟ ୧୪ ତାରିଖରେ ଶିକ୍ଷାବିତ୍ ଜହୁର ଅହମଦ ଭଟ୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ଆଠ ସପ୍ତାହ ସମୟ ଦେଇଛନ୍ତି । ପ୍ରଧାନ ବିଚାରପତି ବି.ଆର୍. ଗଭାଇ ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ଏହି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅନେକ କାରଣ ଜଡ଼ିତ ଅଛି । ଏହି ସମୟରେ ପ୍ରଧାନ ବିଚାରପତି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇ କହିଥିଲେ, "ଆପଣ ପହଲଗାମରେ ଯାହା ଘଟିଲା ତାହାକୁ ଅଣଦେଖା କରିପାରିବେ ନାହିଁ । ଏହା ଉପରେ ସଂସଦ ଏବଂ କାର୍ଯ୍ୟପାଳିକା ହିଁ ନିଷ୍ପତ୍ତି ନେବେ ।"