କନକ ବ୍ୟୁରୋ : ଧରାକୋଟ ବ୍ଳକର ଉପାନ୍ତ ଗାଁ ଶାଗ କିଆରୀ । ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ଷ ତମାମ୍ ସଂଘର୍ଷ କରନ୍ତି ୩୦ଟି ପରିବାର ।  ଖରାଦିନେ ଏକମାତ୍ର ନଳକୂପରୁ ଚାରି-ପାଞ୍ଚ ଗରା ପାଣି ବାହାରିବା ପରେ ବନ୍ଦ ହୋଇଯାଏ । ଘରଠାରୁ ୪ କିମି ଦୂର ପାହାଡ଼ି ଝରଣାରୁ ପାଣି ସଂଗ୍ରହ କରନ୍ତି ଝିଅ-ବୋହୂ । ଏନେଇ ଅନେକ ଥର ପ୍ରଶାସନକୁ ଅବଗତ କରାଇଛନ୍ତି । ହେଲେ କେହି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ନିଜ ଶ୍ରମଦାନରେ ଝରଣା ପାଣିକୁ ଗାଁକୁ ଆଣିବାରେ ସମର୍ଥ ହୋଇଛନ୍ତି ।

Advertisment

ତାତି ବଢ଼ିଲେ ପାହାଡ଼ ଚଢ଼ି ପାଣି ଆଣିବା କଷ୍ଟକର ହୋଇପଡ଼େ। ତେଣୁ ଗାଁ ପାଖକୁ ଝରଣା ପାଣି ଆଣିବାକୁ ଉଦ୍ୟମ କରିଛନ୍ତି ଗ୍ରାମବାସୀ। ନିଜ ନିଜ ଭିତରେ ଚାନ୍ଦା କରିଛନ୍ତି । ପାଳି କରି ଶ୍ରମ ଦାନ କରିଛନ୍ତି। ଦୁଇଟି ପାଇପ ପକାଇ ଝରଣା ପାଣି ଗାଁକୁ ଆଣିବାରେ ସମର୍ଥ ହୋଇଛନ୍ତି । 

ଖରା ବଢ଼ିବାରୁ ଗୋଟିଏ ଝରଣାରେ ବି ଜଳସ୍ତର କମିଗଲାଣି । ଗୋଟିଏରେ ପାଣି ଆସୁନି । ଆଉ ଗୋଟିଏ ଯାହା ଯେତିକି ଆସୁଛି ସେଥିରେ ଶୋଷ ମେଣ୍ଟାଉଛନ୍ତି ଗାଁ ଲୋକେ ।