କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ପରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା ଲଭର୍ସ ପଏଣ୍ଟରେ ଯୁବତୀଙ୍କୁ ସଫ୍ଟ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ତେଣୁ ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ସରକାର ଦୁଇ ଦୁଇ ଥର ବୈଠକ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି, ତାହାର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ସେଥିପାଇଁ ଦୁଇଥର ବୈଠକ ମଧ୍ୟ ବସିସାରିଛି ।
ରାଜ୍ୟରେ ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡିକରେ ଲଭର୍ସ ପଏଣ୍ଟ ରହିଛି । ତେଣୁ ବ୍ୟକ୍ତିଗତ ସମୟ କାଟିବା ପାଇଁ ପ୍ରେମୀଯୁଗଳ ଏହି ଲଭର୍ସ ପଏଣ୍ଟକୁ ଆସିଥାନ୍ତି । କିନ୍ତୁ ଅଧିକାଂଶ ଲଭର୍ସ ପଏଣ୍ଟରେ ପର୍ଯ୍ୟାପ୍ତ ସୁରକ୍ଷା ନାହିଁ । ଆଲୋକୀକରଣର ବ୍ୟବସ୍ଥା ବି ନାହିଁ । ପୁଲିସ୍ ପାଟ୍ରୋଲିଂ ହେଉନାହିଁ । ପୁଲିସ ଆଉଟ୍ପୋଷ୍ଟରେ ସୁରକ୍ଷାକର୍ମୀ ନାହାନ୍ତି । ଫଳରେ ଏଠାରେ ଅସାମାଜିକ ଲୋକଙ୍କ ଭୟ ଅଧିକ ରହୁଛି । ଅଧିକାଂଶ ଲଭର୍ସ ପଏଣ୍ଚରେ ଅସାମାଜିକ କାର୍ଯ୍ୟକଳାପର ମୂଳ କାରଣ ହେଉଛି ନିଶାସେବନ । ତେଣୁ ଏହି ସ୍ଥାନଗୁଡିକରେ ନିଶା କାରବାର କମ୍ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କାମ କରିବା ଉଚିତ । ଏହାଛଡା ଲଭର୍ସ ପଏଣ୍ଟରେ ସଂଯମ ଆଚରଣ ବି ଜରୁରୀ ବୋଲି ସାମାଜିକ କର୍ମୀ ଗୁରୁତ୍ବ ଦେଇଛନ୍ତି ।
ଲଭର୍ସ ପଏଣ୍ଟକୁ ସରକାର ସୁରକ୍ଷା ଦେବାକୁ ଚିନ୍ତା କରୁଛନ୍ତି । ପ୍ରଶ୍ନ ଉଠୁଛି, ଅଘଟଣ ଘଟିବାର ଏକମାତ୍ର ସ୍ଥାନ ଲଭର୍ସ ପଏଣ୍ଟ କି? ଲଭର୍ସ ପଏଣ୍ଟରେ ଅସାମାଜିକ ତତ୍ତ୍ବଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ନିଆଯାଉନାହିଁ କାହିଁକି?