କନକ ବ୍ୟୁରୋ : କୋଟିଆର ଇଞ୍ଚେ ଜମି ଆନ୍ଧ୍ରକୁ ଯିବନି । ଏଣୁ କୋଟିଆବାସୀଙ୍କ ମନ ଜିଣିବାକୁ ବିକାଶର ନୀଳନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ବିବାଦୀୟ ଅଞ୍ଚଳରେ ସବୁଦିନିଆ ରାସ୍ତା ନିର୍ମାଣର ପୁନାଦି ପଡ଼ିଛି । କୋଟିଆରୁ ଦେଓମାଳି ଓ କୁନ୍ଦୁଲିକୁ ଫିଟୁଛି ବିକାଶର ରାସ୍ତା। ବିବାଦୀୟ ଅଞ୍ଚଳରୁ ପଟ୍ଟାଙ୍ଗି ବଜାର ପର୍ଯ୍ୟନ୍ତ  ୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତି ସରିଛି । ଯାହାକୁ ନେଇ କୋଟିଆବାସୀ ଯେତିକି ଉତ୍ସାହିତ ତାହା ଠାରୁ ଅଧିକ ଖୁସି ରାଜ୍ୟ ସରକାର । 

Advertisment

କୋଟିଆର ଏହି ବିକାଶ ଯାତ୍ରା ସରକାରଙ୍କ ସଫଳତାକୁ ସାମ୍ନାକୁ ଆଣିନି ବରଂ ପ୍ରାଶାସନିକ ଉଦାସୀନତାକୁ ପଦାରେ ପକାଇଛି । ଗତ ଜୁନ୍ ୬ରେ ରାଜସ୍ବ ମନ୍ତ୍ରୀ ବୈଠକ କରି କୋଟିଆ ବିକାଶ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ୨୧ ଜୁନରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଆକ୍ସନ୍‌ ଟେକେନ୍‌ ରିପୋର୍ଟ ମାଗିଥିଲା ରାଜସ୍ବ ବିଭାଗ । ୧୪ ଅଗଷ୍ଟରେ କୋଟିଆ ବିକାଶର ଆକ୍ସନ୍‌ ପ୍ଲାନ୍‌ ରିପୋର୍ଟ ରାଜସ୍ବ ବିଭାଗ ପାଖରେ ପହଞ୍ଚିଛି । ୫୪ ଦିନର ବିଭାଗୱାରୀ କସରତ ପରେ କୋଟିଆ ବିକାଶକୁ ନେଇ ରାଜସ୍ବ ବିଭାଗକୁ ମିଳିଛି ଉତ୍ତର । କିନ୍ତୁ ପ୍ରଶ୍ନ ଉଠୁଛି, କୋଟିଆ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିକାଶର ବ୍ଲ୍ୟୁ-ପ୍ରିଣ୍ଟ କରିବାକୁ ୨ ମାସ ସମୟ କାହିଁକି? କୋଟିଆ ବିକାଶ ନେଇ ସତରେ ପ୍ରାଶାସନିକ ସ୍ତରରେ ଅଛି ତ ଆନ୍ତରିକତା ? 

 କୋଟିଆକୁ ନେଇ ବିବାଦ ଓ ରାଜନୀତି ନୂଆ ନୁହେଁ । ପୂର୍ବ ସରକାର କୋଟିଆକୁ ବିକାଶ ଠାରୁ ବେଶ ଦୂରରେ ରଖିଥିଲେ । ଅନ୍ୟପଟେ ଡବଲ ଇଞ୍ଜିନ ସରକାରରେ କୋଟିଆର ଦ୍ରୁତ ବିକାଶରେ ବ୍ରେକ ଦେଉଛି ପ୍ରାଶାସନିକ ଉଦାସୀନତା ।  ଏଭଳିସ୍ଥଳେ କୋଟିଆବାସୀ ଆନ୍ଧ୍ରମୁହାଁ ହେବା ଆଶ୍ଚର୍ଯ୍ୟଜନକ ନୁହେଁ।