କନକ ବ୍ୟୁରୋ: ଦେବୋତ୍ତର ଜମିରେ ରହୁଥିବା ଦର୍ଶାଇ ପ୍ରଶାସନ ଘର ଭାଙ୍ଗିଦେଲା । ଧରାଇ ଦେଲା ଖଣ୍ଡେଖଣ୍ଡେ ଜରିପାଲ। ସେଦିନଠାରୁ ୧୬ଟି ଭୂମିହୀନ ଦଳିତ ପରିବାର ଗାଁ ଶ୍ମଶାନରେ ଜରିପାଲ ଟାଣି ରହୁଛନ୍ତି । ବସୁନ୍ଧରା ଯୋଜନାରେ ସାମିଲ କରାଯାଇଥିଲେ ବି ଜମି ଚିହ୍ନଟ ହୋଇ ନଥିବାରୁ ମିଳିନି । ଘର ବି ମିଳିନାହିଁ । 

Advertisment


ଗାଁ ମଶାଣି ୧୬ ପରିବାରର ଠିକଣା ପାଲଟିଛି । ଜଗତସିଂହପୁର ସଦର ବ୍ଲକ୍ ଆଳି ପିଙ୍ଗଳ ବାଲିଘାଇ ଗାଁର ୧୬ଟି ଦଳିତ ପରିବାର ଗାଁ ଶ୍ମଶାନରେ ରହୁଛନ୍ତି । ଖଣ୍ଡେଖଣ୍ଡେ ଜରିପାଲ ଘେରା ଚାଳିଆରେ ଏମାନଙ୍କ ଦିନ କଟୁଛି। ବର୍ଷା ହେଲେ ଘରେ ପାଣି ପଶିବା ସହ ସାପବେଙ୍ଗ ପଶିଯାଉଛନ୍ତି। ରାସ୍ତା ବି କାଦୁଅ ପଚପଚ । ଏମାନଙ୍କ ଅବସ୍ଥା ପୂର୍ବରୁ ଏମିତି ନଥିଲା ।  ୫୦ ବର୍ଷ ଧରି ଗାଁର ଏମାନେ ଏକ ଗୋଚର ଜମିରେ ଘର କରି ରହୁଥିଲେ । କିଛିଦିନ ତଳେ ସେହି ଜମିକୁ ଦେବୋତ୍ତର ସମ୍ପତ୍ତି ଦର୍ଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଭାଙ୍ଗି ଦିଆଗଲା। ଆଉ ଜରିପାଲ ଦେଇ ତହସିଲଦାର କାମ ସାରିଦେଲେ। ସେହିଦିନଠାରୁ ଏମାନେ ଶ୍ମଶାନରେ ରହୁଛନ୍ତି । 

 ଦଳିତ ସଂଗଠନ ସହାୟତାରେ ୧୬ଟି ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ  ଏମାନଙ୍କୁ ଜମି ଦେବା ପାଇଁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ଜମି ଚିହ୍ନଟ ହୋଇନାହିଁ କି ଘର  ମିଳୁନାହିଁ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସମସ୍ତ ପରିବାରଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ।  କେବଳ ଏହି ସମସ୍ୟା ନୁହେଁ, ଏମାନଙ୍କର ଆବାସିକ ପ୍ରମାଣପତ୍ର ବି ନାହିଁ ।