କନକ ବ୍ୟୁରୋ : ଅନେକ ଜିଲ୍ଲାରେ ମଣ୍ଡି ଖୋଲିଲାଣି । କିନ୍ତୁ ସୁଧୁରୁନି ସମସ୍ୟା । ଧାନ ଉଠିପାରୁନି । ଆଉ ଏଭଳି ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମଣ୍ଡି ବ୍ୟବସ୍ଥାରେ ସୁଧାର ଆସିନଥିବା କଥା ଚାଷୀ ଅଭିଯୋଗ କରୁଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । କିନ୍ତୁ ଏକଥାକୁ ଶାସକ ଦଳର ଅନେକ ନେତା ଓ ମନ୍ତ୍ରୀ ଖଣ୍ଡନ କରି ଆସୁଥିଲେ । ହେଲେ, ଏହି ସତକୁ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ମଣ୍ଡିରେ ଅବ୍ୟବସ୍ଥା ଗତ ସରକାରଠାରୁ ରହିଆସିଛି । ପୂର୍ବ ସରକାର ସମୟରେ ମଣ୍ଡି ବ୍ୟବସ୍ଥା ସଠିକ ଭାବେ ପରିଚାଳନା କରାଯାଉନଥିଲା । ଏବେବି ସେହି ସମସ୍ୟା ଲାଗି ରହିଆସିଛି । କେବଳ ଧାନ ଗାଡ଼ି ମଣ୍ଡିକୁ ଛୁଇଁଦେଇ ଯାଉଛି । ଆସନ୍ତାବର୍ଷଠାରୁ ମଣ୍ଡିରେ ଧାନ ବିକ୍ରି ହେବ । ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଧାନ ଟଙ୍କା ଯିବ । ମଧ୍ୟସ୍ଥି କିପରି ହଟିବ, ସେହି କାମରେ ସରକାର ଲାଗିଛନ୍ତି ।
ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ସରକାର ଅଡୁଆରେ ଥିବାବେଳେ ମଣ୍ଡିକୁ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ । ବଲାଙ୍ଗୀରରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ମଣ୍ଡି ବୁଲିବା ସହ ଜରି ବସ୍ତାରେ ଚାଷୀ ଧାନ ଆଣିଲେ ତାକୁ ମିଲର୍ସ ନେବାକୁ ବାଧ୍ୟ ବୋଲି କହିଛନ୍ତି । ଏଥିସହ ବିନା କଟନୀଛଟନୀରେ ଧାନ ଉଠାଇବାକୁ ମିଲର୍ସଙ୍କୁ ତାଗିଦ କରିଛନ୍ତି ।
ନବରଙ୍ଗପୁରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଣ୍ଡି ବୁଲି ସ୍ଥିତି ପରଖିଛନ୍ତି । ଯେଉଁ ମଣ୍ଡିରେ ସମସ୍ୟା ଅଛି ସେଠି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଧାନ ସଂଗ୍ରହ ନୀତିକୁ ସମାଲୋଚନା କରିବା ସହ ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ୱାଇଁ । ଶାସକ ବିରୋଧୀ ବୟାନବାଜି ଭିତରେ ପେଷି ହେଉଛି ଚାଷୀ । କିନ୍ତୁ ମଣ୍ଡି ସମସ୍ୟାରେ ଆସୁନି ସୁଧାର ।