କନକ ବ୍ୟୁରୋ: ଏଣିକି ନିଯୁକ୍ତି ପରୀକ୍ଷାରେ କୌଣସି ତ୍ରୁଟି କିମ୍ବା ବିଚ୍ୟୁତିକୁ କରାଯିବନି ବରଦାସ୍ତ । ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ସରକାର ଆଣିଲେ ଏସଓପି । ପ୍ରାଶାସନିକ ନିୟନ୍ତ୍ରଣରେ ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ ଏସଓପି କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଜିଲ୍ଲପାଳଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖାଯାଇଛି ।
ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଦେଢ଼ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ । ବିଭିନ୍ନ ନିଯୁକ୍ତି ସଂସ୍ଥା ଏପରି ପରୀକ୍ଷା ପରିଚାଳନା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ସମ୍ପର୍କରେ ଅଭିଯୋଗ ଆଣିଥାଏ । ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ପରୀକ୍ଷା ପରିଚାଳନାରେ ଅଧିକ ସ୍ୱଚ୍ଛତା ଏବଂ ସୁରକ୍ଷିତ ପରିବେଶରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।