କନକ ବ୍ୟୁରୋ: ବନ୍ଦ ପଡିଥିବା ଚିନିକଳକୁ କାର୍ଯ୍ୟକ୍ଷମ କରିବେ ରାଜ୍ୟ ସରକାର। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ଆସ୍କା, ବଡ଼ମ୍ବା, ବଲାଙ୍ଗୀର ଭଳି ୫ଟି ଚିନିକଳ ବନ୍ଦ ପଡିଥିବାରୁ ଚାଷୀ ଅସୁବିଧା ଭୋଗୁଛନ୍ତି । ଚିନିକଳ ବି କ୍ଷତିରେ ଚାଲିଛି ।
- ଉଦ୍ଧାର ହେବ ଚିନିକଳ, ଖୋଲିବ ଚାଷୀଙ୍କ ଭାଗ୍ୟ
- ବନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଲେ ସରକାର
ବଲାଙ୍ଗୀର ଜିଲ୍ଲାପାଳ ତଥା ବିଜୟାନନ୍ଦ ସମବାୟ ଚିନିକଳ ପ୍ରଶାସକଙ୍କୁ ରାଜ୍ୟ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ଚିଠି । ବଲାଙ୍ଗୀର ଗସ୍ତ ସମୟରେ ଚିନିକଳକୁ ଖୋଲିବାକୁ ଆଶା ଦେଖାଇଥିଲେ ମୁଖ୍ୟମନ୍ତ୍ରୀ। ଫେରିବା ପରେ ରାଜ୍ୟ ସମବାୟ ସମିତିର ଅତିରିକ୍ତ ରେଜିଷ୍ଟ୍ରାର ଭକ୍ତବନ୍ଧୁ ସାହୁଙ୍କୁ ଅଧିକାରୀ ଭାବେ ନିଯୁକ୍ତ କରିଥିଲେ । ସଂପୃକ୍ତ ଅଧିକାରୀ କାରଖାନା ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ଆସିକା ଗସ୍ତ କରିବା ପରେ ବର୍ଷକରେ ଅଧାଦିନ ବନ୍ଦ ରହୁଥିବା ଆସିକା ଚିନିକଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି । ବଡ଼ମ୍ବା ଓ ନୟାଗଡ଼ ଚିନିକଳ ବି ଦୀର୍ଘଦିନ ହେଲା ବନ୍ଦ ହୋଇରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି ।
- ଚିନି ସହ ଉତ୍ପାଦନ ହେବ ଉପ-ସାମଗ୍ରୀ
- ଲାଭବାନ ହେବେ ଚାଷୀ, ସୃଷ୍ଟି ହେବ ନିଯୁକ୍ତି
କେବଳ ବଲାଙ୍ଗୀର ନୁହେଁ, ବରଗଡ଼, ବଡ଼ମ୍ବା, ନୟାଗଡ଼ ଓ ଆସିକା ଚିନିକଳ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକାଂଶ ଚିନିକଳ କ୍ଷତିରେ ଚାଲିଥିବାରୁ କ୍ଷତି ଭରଣା ପାଇଁ ଇଥାନଲ ଭଳି ବାଇ-ପ୍ରଡକ୍ଟ ବା ଉପ-ସାମଗ୍ରୀ ବି ଉତ୍ପାଦନ ହେବ । ଏକ କିଲୋ ଚିନି ତିଆରିରେ ଖର୍ଚ୍ଚ ହେଉଛି ୬୫ ଟଙ୍କା । କିନ୍ତୁ ବଜାରରେ ଏହା ୪୫ ଟଙ୍କାରେ ବିକ୍ରି ହେଉଛି । ବାଇ-ପ୍ରଡକ୍ଟ ଉତ୍ପାଦନ ହେଲେ ସରକାର ଏଭଳି କ୍ଷତି ଭରଣା କରିପାରିବେ ବୋଲି ସରକାର ଚିନ୍ତା କରୁଛନ୍ତି ।
ତେବେ ଚିନିକଳ ବନ୍ଦ ହେବା ଫଳରେ ସ୍ଥାନୀୟ ଆଖୁଚାଷୀ କ୍ଷତି ସହୁଛନ୍ତି । ଆଉ ସରକାରଙ୍କ ପଦକ୍ଷେପ ଚିନିକଳ କାର୍ଯ୍ୟକ୍ଷମ ନେଇ ଚାଷୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି ।