କନକ ବ୍ୟୁରୋ: ନଦୀ ଗତିପଥ ବଦଳାଇ ଦାନବୀ ସାଜିଛି । ଅସ୍ତରଙ୍ଗରେ ଦେବୀ ନଦୀ ଗତିପଥ ବଦଳାଇ ଦକ୍ଷିଣ ମୁହାଁ ହେବାରୁ ଅସ୍ତରଙ୍ଗ ବ୍ଲକର ବହୁ ଗାଁର ଚାଷ ଜମି ନଦୀରେ ଲୀନ ହୋଇଛି । ଲୁଣା ନଦୀ ଯୋଗୁଁ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ବହୁ ଗାଁ ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ଆସି ବାଙ୍କି କୁଶପାଙ୍ଗି ଅଞ୍ଚଳରେ ବହୁ ଚାଷ ଜମି ନଈରେ ମିଶି ଯାଇଛି। ପ୍ରତିବର୍ଷ ଏମିତି ଚାଷ ଜମି ନଦୀରେ ଲୀନ ହୋଇଯାଉଥିବାରୁ ଚିନ୍ତାରେ ପଡ଼ିଛନ୍ତି ଲୋକେ।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର। ଏନେଇ ପ୍ରତିଶ୍ରୁତି ଦେଇ ରାଜସ୍ବମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦିଆଯିବ। ଜିଲ୍ଲାପାଳମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତି ନିଆଯିବ।
ଏଥିସହ ନୂଆ ବିସ୍ଥାପନ ଏବଂ ଥଇଥାନ ନୀତି ଆଣିବେ ସରକାର। ୨୦୨୫ରେ ଏହି ନୀତି ଆଣିବାକୁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଧୁନିକ ବିସ୍ଥାପନ ଏବଂ ଥଇଥାନ ନେଇ ଚିନ୍ତା କରୁଛନ୍ତି ସରକାର। କ୍ଷତିଗ୍ରସ୍ତ ଚାହିଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ। କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ, ସମାନୁପାତିକ ଲାଭ ସେମାନେ ନେଇପାରିବେ। ଯାହାକୁ ସମାଲୋଚନା କରିଛନ୍ତି ବିରୋଧୀ । ବର୍ଷ ବର୍ଷ ଧରି କ୍ଷତିପୂରଣ ପାଇଁ ବିସ୍ଥାପିତ ସଂଘର୍ଷ କରୁଛନ୍ତି। ସରକାର ନୂଆ ବିସ୍ଥାପନ ନୀତି ଆଣିଲେ ଲାଭ ମିଳିବ ବୋଲି ଆଶା କରାଯାଉଛି।
Follow Us