କନକ ବ୍ୟୁରୋ: ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ଓ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବର୍ଷକୁ ୬୮ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ ହେଉଥିବା ବେଳେ ରାଜ୍ୟ ସରକାର ଧାନର ଏମଏସପି ୩୧ଶହ ଟଙ୍କାକୁ ବଢ଼ାଇଥିବାରୁ ଅଧିକ ଧାନ ଫସଲ ହୋଇଥିବା କୁହାଯାଉଛି । ସେଥିପାଇଁ ଚଳିତ ବର୍ଷ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ଏହାସହ ସଂଗୃହିତ ଧାନକୁ ସୁରକ୍ଷିତ ରଖିବା ନିମନ୍ତେ ପର୍ୟ୍ୟାପ୍ତ ଗୋଦାମ ଗୃହ ନିର୍ମାଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଧାନ ମଣ୍ଡିକୁ ଯିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଉଛି । ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମଣ୍ଡିରେ ଧାନ ସଂଗ୍ରହରେ ବାୟୋମେଟ୍ରିକ ପଦ୍ଧତି ଓ ଆଧାର  ସଂଯୋଗୀକରଣ ବ୍ୟବସ୍ଥା ହୋଇଛି । ଇ-ବାହନ ଆପ୍‌ ଯୋଗେ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍‌ ସହାୟତାରେ ଟ୍ରାକିଂ କରାଯିବ । ଏହା ଦ୍ୱାରା ମଧ୍ୟସ୍ଥି ଓ ଦଲାଲଙ୍କ ଦୌରାତ୍ମ୍ୟ କମିବ । ଧାନସଂଗ୍ରହ ସମୟରେ ଧାନର ଗୁଣବତ୍ତା ଯାଞ୍ଚ କରିବା ପାଇଁ ‘ଅଟୋମେଟିକ୍‌ ଗ୍ରେନ୍‌ ଆନାଲାଇଜର’ର ବ୍ୟବସ୍ଥା କରାଯିବ । ସେହିପରି ଧାନର ପ୍ରକ୍ରିୟାକରଣ ସମୟରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗାଣ, ପଞ୍ଚାୟତିରାଜ, ରାଜସ୍ୱ ଆଦି ବିଭାଗର ଅଧିକାରୀମାନେ ଜିଲ୍ଲାମାନଙ୍କୁ ଯାଇ କ୍ଷେତ୍ର ସ୍ତରରେ ପ୍ରତ୍ୟକ୍ଷ ଯାଞ୍ଚ କରିବେ ଏବଂ କାର୍ୟ୍ୟକୁ ତ୍ୱରାନ୍ୱିତ କରିବେ । ପିପିପି ମୋଡ଼୍‌ରେ ଗୋଦାମ ଗୃହ ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।