କନକ ବ୍ୟୁରୋ : କନକ ନ୍ୟୁଜ ଖବର ଉପରେ ମୋହର । ସୁନ୍ଦରଗଡ଼ କୋଇଲା ଖଣି ଚୋରିର ସତ ମାନିଛନ୍ତି ସରକାର । ୯୮୪୩ ମେଟ୍ରିକ ଟନ କୋଇଲା ବେଆଇନ ଭାବେ ଚୋରି ହୋଇଛି ବୋଲି ଖଣିମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଏ ଯାଏଁ ଧରାଯାଇପାରିନି ।
କନକ ନ୍ୟୁଜର ଆକଳନ ସତ ହୋଇଛି । ସୁନ୍ଦରଗଡ଼ରେ ଶହ ଶହ କୋଟି ଟଙ୍କାର କୋଇଲା ଚୋରି ହୋଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ସୁନ୍ଦରଗଡ଼ ଜିଲ୍ଲାରେ ୯୮୪୩ ମେଟ୍ରିକ ଟନ୍ କୋଇଲା ବେଆଇନ ଭାବେ ଚୋରି ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଶହ ଶହ କୋଟି ହେବ । ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଅନ୍ୟ ବ୍ୟକ୍ତି ବା ସଂସ୍ଥାର ସଂପୃକ୍ତି ନେଇ ଅନୁସନ୍ଧାନ ଚାଲିଛି । ଏସ୍ଆଇଟି ଦ୍ୱାରା ତଦନ୍ତ ଜାରି ରହିଛି ।
ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳରେ କୋଇଲା ଖଣିରେ ବ୍ୟାପକ ଖଣି ଚୋରି ହୋଇଥିବା କନକ ନ୍ୟୁଜରେ ଖବର ବାଜିଥିଲା । ଖଣି ଚୋରିର ଚେର ଏତେ ଲମ୍ବିଥିଲା ଯେ ସରକାର ବାଧ୍ୟ ହୋଇ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଖୋଦ ଖଣିମନ୍ତ୍ରୀ ଓ ପରିବେଶ ମନ୍ତ୍ରୀ ଅଧିକାରୀଙ୍କ ସହ ସୁନ୍ଦରଗଡ଼ର ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ହେଲେ ଦୀର୍ଘ ୩ ମାସ ଧରି ତଦନ୍ତ ଶିଥିଳ ହୋଇପଡିଥିଲା । କିଏ ଚୋରି କରୁଥିଲା ? ଚେର କୁଆଡ଼େ ଲମ୍ବିଥିଲା ? ତାହା ଲୁଚିଗଲା । ଏବେ ବିଧାନସଭାରେ ସତ ସାମ୍ନାକୁ ଆସିଛି । ଖଣି ମନ୍ତ୍ରୀଙ୍କ କହିବା କଥା ହେଲା, ବେଆଇନ ଖଣି ଖନନକୁ ରୋକିବା ପାଇଁ ରାଜ୍ୟ, ଜିଲ୍ଲା ଓ ସର୍କଲ ସ୍ତରରେ ସ୍କ୍ୱାଡ୍ ଗଠନ ହୋଇଛି । ଅଚାନକ ଚଢ଼ାଉ ସହ ଯାଞ୍ଚ କରାଯାଉଛି । ଖଣିସ୍ଥାନ ସିସିଟିଭି ନଜରରେ ଅଛି ଓ ପରିବହନକୁ ଜିପିଏସ୍ ସହ ସଂଲଗ୍ନ କରାଯାଇଛି ।
ପ୍ରଶ୍ନ ଉଠୁଛି, ରାଜ୍ୟର ସବୁଠାରୁ ବଡ଼ କୋଇଲା ଚୋରିର ତଦନ୍ତ ଆଉ କେତେ ଦିନ ଚାଲିବ ? ମାଫିଆ ଓ ବଡ଼ ଅଧିକାରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ହେଉଛି କି ?