କନକ ବ୍ୟୁରୋ : ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଦିନରୁ ଚର୍ଚ୍ଚାର ପରିସରରେ ରହିଛନ୍ତି । ନିକଟରେ ଖବର ଆସିଥିଲା ଯେ ବିବାହର ୩୭ ବର୍ଷ ପରେ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଛନ୍ତି । ଗୋବିନ୍ଦା ତାଙ୍କ ଠାରୁ ୩୦ ବର୍ଷ ସାନ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି ବୋଲି ଗୁଜବ ମଧ୍ୟ ଉଡ଼ିଥିଲା । ସୁନୀତାଙ୍କୁ ବିଭିନ୍ନ ମନ୍ଦିରରେ ଦାମ୍ପତ୍ୟ ଜୀବନ ଖୁସୀମୟ କରିବା ପାଇଁ ପୂଜା କରିବାର ମଧ୍ୟ ଦେଖାଯାଉଥିଲା । ତେବେ ଏସବୁ ଭିତରେ ଗଣେଶ ଚତୁର୍ଥୀ ଅବସରରେ ଦୁହେଁ ଛାଡ଼ପତ୍ର ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇ ମିଡିଆ ସାମ୍ନାକୁ ଆସିଥିଲେ । ବର୍ତ୍ତମାନ ସୁନୀତା ତାଙ୍କର ଲାଟେଷ୍ଟ୍ ଭ୍ଲଗରେ ଛାଡ଼ପତ୍ର ଏବଂ ଗୋବିନ୍ଦାଙ୍କ ଆଫେୟାର ଉପରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି ।
/filters:format(webp)/kanak/media/media_files/2025/10/01/sunita-govinda-2025-10-01-15-35-38.webp)
ସୁନୀତାଙ୍କ ଭ୍ଲଗରେ ଅଭିନେତ୍ରୀ ସମ୍ଭାବନା ସେଠ୍ ନଜର ଆସିଥିଲେ । ସେ ସୁନୀତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଯେଉଁଥିରେ ସୁନୀତା କହିଥିଲେ ଯେ ହଁ ସେ ଗୋବିନ୍ଦାଙ୍କ ଆଫେୟାରର ଗୁଜବ ଶୁଣିଛନ୍ତି । ସେ ଏଥିପାଇଁ ଗୋବିନ୍ଦାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ସୁନୀତା କହିଥିଲେ ଯେ ‘ଯଦି କେବେ ମୁଁ ଗୋବିନ୍ଦାଙ୍କୁ ଧୋକା ଦେଉଥିବାର ଦେଖେ ତେବେ ସର୍ବପ୍ରଥମେ ମିଡିଆକୁ ହିଁ ଜଣାଇବି । ଅସୁବିଧାର କଥା ହେଉଛି ଗୋବିନ୍ଦାଙ୍କ ପରିବାରରେ ଏମିତି ଲୋକ ଅଛନ୍ତି ଯେଉଁମାନେ ମୋତେ ଓ ତାଙ୍କୁ ଏକାଠି ଦେଖିବାକୁ ଚାହୁନାହାନ୍ତି । ସେମାନେ ଭାବୁଛନ୍ତି ଯେ ଆମ ପରିବାରରେ ଏତେ ଖୁସି କାହିଁକି ଅଛି କାରଣ ସେମାନଙ୍କ ନିଜ ସ୍ତ୍ରୀ ଓ ପିଲାମାନେ ମରିଯାଇଛନ୍ତି । ଗୋବିନ୍ଦା ଭଲ ଲୋକଙ୍କ ସହ ଉଠାବସା କରୁନାହାନ୍ତି । ଆଉ ଖରାପ ଲୋକ ସହ ଯଦି ରହିବ ତା’ହେଲେ ତୁମେ ମଧ୍ୟ ସେମିତି ହୋଇଯିବ । ଆଜିର ସମୟରେ ମୋର କେହି ବନ୍ଧୁ ନାହାନ୍ତି , ମୋ ପିଲାମାନେ ହିଁ ମୋର ସାଙ୍ଗ । ଗୋବିନ୍ଦାଙ୍କର ଆଫେୟାର୍ କଥା ଶୁଣି ମତେ ବି ଦୁଃଖ ହୋଇଥିଲା । ମୁଁ ଏବଂ ଗୋବିନ୍ଦା ୧୫ ବର୍ଷ ହେବ ଏଭଳି ପରିସ୍ଥିତିର ସାମ୍ନା କରୁଛୁ କିନ୍ତୁ ଗୋଟିଏ ଘରେ ହିଁ ରହୁଛୁ । ଯେଉଁ ପୁରୁଷ ଜଣେ ଭଲ ସ୍ତ୍ରୀକୁ ଦୁଃଖ ଦେବ , ସେ କେବେ ବି ଖୁସିରେ ରହିବ ନାହିଁ । ମୁଁ ବହୁତ କମ୍ ବୟସରୁ ହିଁ ଗୋବିନ୍ଦାଙ୍କୁ ମୋର ପୂରା ଜୀବନ ଦେଇଛି , ଆଜିର ସମୟରେ ବି ମୁଁ ତାଙ୍କୁ ବହୁତ ଭଲ ପାଏ । କିନ୍ତୁ ଲୋକଙ୍କଠାରୁ ଏଭଳି କଥା ଶୁଣି ମୁଁ ବି ଅସନ୍ତୋଷରେ ଅଛି । ଯେହେତୁ ମୋ ପାଖରେ ପିଲାମାନେ ଅଛନ୍ତି ମୁଁ ଷ୍ଟ୍ରଙ୍ଗ୍ ଅଛି ।’
ଭ୍ଲଗରେ ଅଭିନେତ୍ରୀ ସମ୍ଭାବନା ସୁନୀତାଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆପଣଙ୍କୁ ଲାଗୁନି କି ଏବେ ସଠିକ୍ ସମୟ ଆସିଛି ଗୋବିନ୍ଦାଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାର କାରଣ ଏଥିପାଇଁ ଆପଣ ଅନେକ କିଛି ଶୁଣୁଛନ୍ତି । ଏହାର ଉତ୍ତରରେ ସୁନୀତା କହିଛନ୍ତି ଯେ ଏବେ ଏସବୁର ବୟସ ନାହିଁ , ପିଲାମାନେ ବଡ଼ ହୋଇଗଲେଣି ଏସବୁ ଶୁଣିଲା ମାତ୍ରେ ଲଜ୍ଜା ଲାଗୁଛି । ପିଲାମାନେ ବି ବେଳେବେଳେ ପଚାରନ୍ତି କିନ୍ତୁ ମଣିଷକୁ ମିଛ କହିବାର ଅଭ୍ୟାସ ଲାଗିଗଲେ ସେ ମିଛ ଉପରେ ମିଛ କହି ଚାଲିଥାଏ ।’ ତେବେ ଏ ଷ୍ଟାର୍ ଦମ୍ପତିଙ୍କ ପାରିବାରିକ କଳିର ପୂର୍ଣ୍ଣଚ୍ଛେଦ କେବେ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।