ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ଏକାଠି ଆଗେଇବା ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ହରିବାବୁ କମ୍ଭମପାଟି

ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ଉଦଯାପନୀ ସମାରୋହରେ ଯୋଗ ଦେଇ ସେ କହିଥିଲେ ଯେ ‘ସମ୍ବାଦ’ ଗ୍ରୁପ ନିଜର ବିଭିନ୍ନ ଅନୁଷ୍ଠାନ ଯେପରିକି ସମ୍ବାଦ ଖବରକାଗଜ, କନକ ନ୍ୟୁଜ, ରେଡିଓ ଚୋକଲେଟ, ସମ୍ବାଦ ଡିଜିଟାଲ ମାଧ୍ୟମରେ ଆମ ସମୟର ପ୍ରମୁଖ ସମସ୍ୟା ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ୱ, ଦାୟିତ୍ୱବାନ ଜୀବନଯାପନ ଆଦି ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି ।

governor

Photograph: (Kanak News)

କନକ ବ୍ୟୁରୋ : ନିଜର ସ୍ୱତନ୍ତ୍ର ପରିବେଶ, ସହନଶୀଳ ଲୋକ ଓ ପ୍ରକୃତ ସହ ଗଭୀର ସାଂସ୍କୃତିକ ସମ୍ପର୍କ ରଖୁଥିବା ଓଡ଼ିଶା ଦେଖାଇଛି ଯେ ବିକାଶ ଓ ପରିବେଶ ସଂରକ୍ଷଣ ଏକାଠି ଚାଲିପାରିବ । ପାରମ୍ପରିକ କୃଷିଠାରୁ ଆରମ୍ଭ କରି ନବୀକରଣ ଶକ୍ତି ପର୍ଯ୍ୟନ୍ତ ପ୍ରକୃତି ସହ ସହାବସ୍ଥାନର ଏକ ପ୍ରତୀକ ହେଉଛି ଓଡ଼ିଶା । ପରିବେଶଗତ ଉଦ୍ଭାବନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ନିର୍ବାହ କରିପାରିବ ବୋଲି କହିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟି ।

ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ଉଦଯାପନୀ ସମାରୋହରେ ଯୋଗ ଦେଇ ସେ କହିଥିଲେ ଯେ ‘ସମ୍ବାଦ’ ଗ୍ରୁପ ନିଜର ବିଭିନ୍ନ ଅନୁଷ୍ଠାନ ଯେପରିକି ସମ୍ବାଦ ଖବରକାଗଜ, କନକ ନ୍ୟୁଜ, ରେଡିଓ ଚୋକଲେଟ, ସମ୍ବାଦ ଡିଜିଟାଲ ମାଧ୍ୟମରେ ଆମ ସମୟର ପ୍ରମୁଖ ସମସ୍ୟା ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ୱ, ଦାୟିତ୍ୱବାନ ଜୀବନଯାପନ ଆଦି ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି । ଆମେ ଆଜି ମାନବ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ଛିଡ଼ା ହୋଇଛୁ । ଜଳବାୟୁ ପରିବର୍ତ୍ତନ ଆଉ ଭବିଷ୍ୟତର ଏକ ସମସ୍ୟା ହୋଇ ରହିନାହିଁ, ଆଜି ଏହା ଏକ ବାସ୍ତବିକତାରେ ପରିଣତ ହୋଇଛି । ତାପମାତ୍ରା ବୃଦ୍ଧି, ଅତ୍ୟଧିକ ବୃଷ୍ଟିପାତ ଓ ପରିବେଶଗତ ଅସନ୍ତୁଳନ ଆମ ଜୀବନ, ଅଭିବୃଦ୍ଧି ଓ ଉତ୍ପାଦନକୁ ପ୍ରଭାବିତ କରୁଛି ।

କିନ୍ତୁ ଏସବୁ ଆହ୍ୱାନ ଆମ ପାଇଁ ଏକ ସୁଯୋଗ ମଧ୍ୟ ଆଣିଦେଇଛି ଯେ ବିକାଶ କେବଳ ଅଭିବୃଦ୍ଧିର ଏକ ଦୌଡ଼ ନୁହେଁ, ବରଂ ଏହା ସନ୍ତୁଳିତ, ସମାନତା ଓ ନବୀକରଣର ଏକ ମିଳିତ ଯାତ୍ରା । ଏହି ସମ୍ମିଳନୀ ଏହି ବାର୍ତ୍ତା ଦେଉଛି ଯେ ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ଏକାଠି ଆଗେଇବା ଉଚିତ ଏବଂ ଆମର ମିଳିତ ଭବିଷ୍ୟତ ବିକାଶ ଓ ପ୍ରକୃତି ମଧ୍ୟରେ ଆମେ ନିର୍ମାଣ କରୁଥିବା ଭାରସାମ୍ୟ ଉପରେ ନିର୍ଭର କରିବ । ଏ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେବଳ ସୂଚନା ଦେବା ନୁହେଁ, ବରଂ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିବା । ସମ୍ବାଦ ଗ୍ରୁପ କେବଳ ରିପୋର୍ଟଂରୁ ଉପରକୁ ଉଠି ଏକ ପରିବର୍ତ୍ତନ ଆଣିବାକୁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବାକୁ ଉଦ୍ୟମ କରୁଛି ।

ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ କେବଳ ଏକ ପରିବେଶ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ସାମୂହିକ ପରିବର୍ତ୍ତନ ପାଇଁ ଏକ ଆହ୍ୱାନ । ରାଜ୍ୟବ୍ୟାପୀ ଗୋଷ୍ଠୀ ଭିତ୍ତିକ କର୍ମଶାଳା, ପରିବେଶ ପଞ୍ଚାୟତ ଆଦି ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଲୋକମାନଙ୍କୁ ଏକାଠି କରିବା ସହ ପରିବେଶ ସମସ୍ୟାର ସ୍ଥାନୀୟ ସମାଧାନ ବାହାର କରିବା ଦିଗରେ ଅନୁପ୍ରାଣିତ କରୁଛି ।

ନିଜର ସ୍ୱତନ୍ତ୍ର ପରିବେଶ, ସହନଶୀଳ ଲୋକ ଓ ପ୍ରକୃତ ସହ ଗଭୀର ସାଂସ୍କୃତିକ ସମ୍ପର୍କ ରଖୁଥିବା ଓଡ଼ିଶା ଦର୍ଶାଉଛି ଯେ ବିକାଶ ଓ ପରିବେଶ ସୁରକ୍ଷା ଏକାଠି ଚାଲିପାରିବ । ପାରମ୍ପରିକ କୃଷିଠାରୁ ଆରମ୍ଭ କରି ନବୀକରଣ ଶକ୍ତି ପର୍ଯ୍ୟନ୍ତ ପ୍ରକୃତି ସହ ସହାବସ୍ଥାନର ଏକ ପ୍ରତୀକ ହେଉଛି ଓଡ଼ିଶା । ପରିବେଶଗତ ଉଦ୍ଭାବନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ନିର୍ବାହ କରିପାରିବ । ପ୍ରକୃତି ସହ ଦାୟିତ୍ୱବାନ ହେବାକୁ ସେ ଶିଳ୍ପଜଗତକୁ ଆହ୍ୱାନ ଜଣାଇଥିଲେ । ଓଡ଼ିଶାର ଷ୍ଟାର୍ଟଅପ୍‌ ଓ ଯୁବଉଦ୍ଭାବକମାନେ ପୃଥିବୀ ଓ ଜନସମାଜକୁ ସମ୍ମାନ ଜଣାଉଥିବା ନୂଆ ନୂଆ ଉଦ୍ଭାବନ କରି ଏ ଦିଗରେ ନେତୃତ୍ୱ ନେଇପାରିବେ ବୋଲି ସେ କହିଥିଲେ । ସଷ୍ଟେନିବିଲିଟି କେବଳ ଏକ ପାଠ୍ୟ ବିଷୟ ନହୋଇ ଆମ ଜୀବନର ଅଙ୍ଗ ହେବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ସେ ପରିବେଶ ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ । ଏବର୍ଷ ସୁଧାଂଶୁ କୁମାର ଚୌଧୁରୀ, ଝିରାଗା ଏକ୍କା, ଅଶୋକ କୁମାର ପରିଡ଼ା, ମନୋଜ କୁମାର ଦାସ, ସୁଭାଷ ଚନ୍ଦ୍ର ନାୟକ, ପ୍ରଦୀପ ପଣ୍ଡା, ଡା. ପ୍ରବୀର କୁମାର ଦାସ, ଚିନ୍ମୟ ଦାସ, ରମେଶ ଚନ୍ଦ୍ର ମିଶ୍ର ଏବଂ ଶୁଭ୍ରାଂଶୁ ସତପଥୀଙ୍କୁ ପରିବେଶ ସମ୍ମାନ ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe