କନକ ବ୍ୟୁରୋ : ଦୟା ନଦୀକୁ ପ୍ରଦୂଷଣମୁକ୍ତ କରାଯିବ । ପିପିଲି କଣ୍ଟି ନିକଟ ଗଙ୍ଗୁଆ ମୁହାଣରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସ୍ଥାନୀୟ ଚାଷୀ ଏହି ପ୍ରକଳ୍ପକୁ ବିରୋଧ କଲେଣି । ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ତହସିଲଦାରଙ୍କୁ ଫେରାଦ୍ ହୋଇଛନ୍ତି ।
ଭୁବନେଶ୍ୱର ଉପକଣ୍ଠରେ ଥିବା ଦୟା ନଦୀକୁ ବିଷାକ୍ତ କରୁଛି ଗଙ୍ଗୁଆ ନାଳ । ଏହାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପିପିଲି କଣ୍ଟି ନିକଟ ଗଙ୍ଗୁଆରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ସଜବାଜ ହେଉଛନ୍ତି ସରକାର । ଗଙ୍ଗୁଆ ମୁହାଣ ବେଣାବିଲ କିମ୍ବା ଗଁପାଳ ମୌଜାର ପ୍ରାୟ ୪୦ ଏକର ଚାଷ ଜମି ଉପରେ ଏହି ସମ୍ଭାବ୍ୟ ପ୍ରକଳ୍ପ ନିର୍ମାଣ ହେବ ବୋଲି କୁହାଯାଉଛି । ପ୍ରକଳ୍ପ ହେଲେ ଚାଷୀଙ୍କର ଭାତହାଣ୍ଡି ଚାଷ ଜମି ଚାଲିଯାଉଥିବାରୁ, ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଅଞ୍ଚଳବାସୀଙ୍କ ଦାବି, କଣ୍ଟି ଅଞ୍ଚଳରେ ନହୋଇ ଖୋର୍ଦ୍ଧା ବରକୁଦା ମୌଜାରେ ହେଉ ପ୍ଲାଣ୍ଟ । ଏ ସମ୍ପର୍କରେ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଏବଂ ତହସିଲଦାରଙ୍କୁ ଗୁହାରି କରିଛନ୍ତି ।
ଦୟାନଦୀର ପାଣି ଏବେ ପୋକ ସାଲୁବାଲୁ । ରାଜଧାନୀର ସମସ୍ତ ନାଳ ନର୍ଦ୍ଦମା ଓ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଗଙ୍ଗୁଆ ନଦୀ ଦେଇ ଦୟାରେ ମିଶୁଛି । ଫଳରେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ କଣାସ ବ୍ଲକର ୧୫୦ରୁ ଅଧିକ ଗାଁର ଲୋକେ ପ୍ରଭାବିତ ହେଉଛନ୍ତି । ଦୂଷିତ ପାଣି ଯୋଗୁଁ ନଦୀରେ ଥିବା ମାଛମାନେ ମରୁଛନ୍ତି । ଲୋକଙ୍କ କହିବା କଥା, ଟ୍ରିଟମେଣ୍ଟ ପ୍ଲାଣ୍ଟ ହେଉ କିନ୍ତୁ କଣ୍ଟି ଅଞ୍ଚଳରେ ହେଲେ ଚାଷୀଙ୍କ ପେଟକୁ ଲାତ ବାଜିବ ବୋଲି ବିରୋଧ କରୁଛନ୍ତି ଅଞ୍ଚଳବାସୀ ।
ଗୋଟେ ପଟେ ପ୍ଲାଣ୍ଟ ପାଇଁ ସରକାରଙ୍କ ସଜବାଜ, ଅନ୍ୟପଟେ ବିରୋଧ । ଏହାରି ଭିତରେ କଣ ହେଉଛି ବିଶୋଧନ ପ୍ରକଳ୍ପର ଭାଗ୍ୟ, ତାହା ଦେଖିବାର କଥା ।