କନକ ବ୍ୟୁରୋ : ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂଆ ପଞ୍ଜୀକରଣ ନୀତିକୁ ନେଇ ରାସ୍ତାକୁ ଓହ୍ଲାଇବାକୁ ଏକାଠି ହେଲେଣି ଚାଷୀ । ବରଗଡ଼ର ସଂଯୁକ୍ତ କୃଷକ ସଙ୍ଗଠନ ରାସ୍ତାରୋକ ଡାକରା ଦେଇଥିବା ବେଳେ ଆଜି ଭଣ୍ଡୁର କରିଛି ପୁଲିସ । କଲାପାଣି ମଣ୍ଡିରେ ମେଳି ବାନ୍ଧିଥିବା ଚାଷୀଙ୍କୁ ଆଗୁଆ ଉଠାଇ ନେଇଛି । ଯାହାକୁ ନେଇ ଚିହିଁକି ଉଠିଛି କୃଷକ ସଙ୍ଗଠନ ।
ପଞ୍ଜୀକରଣ ନୀତିକୁ ଚାଷୀ ବିରୋଧ କରୁଥିବା ବେଳେ ଆଦର୍ଶ ମଣ୍ଡି ଉପହାର ଦେଇ ଚାଷୀଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ସରକାର । ଆଗାମୀ ୨ ବର୍ଷରେ ସରକାର ୩୮ଟି ମଣ୍ଡିର ନବକଳେବର କରିବା ସହ ଏହାକୁ ଆଦର୍ଶ ମଣ୍ଡିର ପରିଚୟ ଦେବେ । ଆଦର୍ଶ ମଣ୍ଡିରେ ଛାତ ଥିବା କଂକ୍ରିଟ ପିଣ୍ଡି ସହ କୃଷକ ସୁବିଧା କେନ୍ଦ୍ର, ଶୀତଳୀକରଣ ଗୃହ, ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିବ । ପର୍ଯ୍ୟାପ୍ତ ପାର୍କିଂ, ଓଜନ ମାପକ ଯନ୍ତ୍ର, ଗୋଦାମ ଗୃହ, କ୍ୟାଣ୍ଟିନ ସୁବିଧା ସହ ଭେଣ୍ଡିଂ ଜୋନ୍, ଗ୍ରାମ୍ୟ ବଜାର ଖୋଲିବ । ଅନ୍ୟପଟେ ମହିଳା ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଶିଶୁ ଯନ୍ତ୍ର କେନ୍ଦ୍ର ଓ ବିଶ୍ରାମ ଗୃହ ରହିବ । ଏନେଇ ସମବାୟ ବିଭାଗର ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍ ମୋହର । ଆଦର୍ଶ ମଣ୍ଡି ଘୋଷଣାକୁ ନେଇ ତେଜିଛି ରାଜନୀତି । ଧାନ ଉଠିପାରୁନି, ଆଦର୍ଶ ମଣ୍ଡି ନାଁରେ ସରକାର କେବଳ ସ୍ବପ୍ନ ଦେଖାଉଛନ୍ତି ବୋଲି କହି ଘେରିଛନ୍ତି ବିରୋଧୀ । ବର୍ଷେ ଭିତରେ ଯେଉଁଭଳି କାମ ହେଉଛି ତାହା ବିରୋଧୀ ବିଶ୍ବାସ କରିପାରୁନାହାନ୍ତି ବୋଲି କହି କଟାକ୍ଷ କରିଛି ବିଜେପି । ଶାସକ-ବିରୋଧୀଙ୍କ ତୁ ତୁ ମେ ମେ ଭିତରେ ଆଦର୍ଶ ମଣ୍ଡି ନିର୍ମାଣ କେବେ ସରୁଛି ଓ ଚାଷୀ ଏହାଦ୍ବାରା କେତେ ଉପକୃତ ହେବେ ତାହା ଦେଖିବା ବାକି ରହିଲା ।