କନକ ବ୍ୟୁରୋ : ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ନିର୍ବାଚନ ବେଳେ ଚାଷୀଙ୍କୁ ଦେଇଥିବା ଏମଏସପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି ସରକାର । ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଏମଏସପି ଓ ଇନପୁଟ୍ ସବସିଡି ଅର୍ଥାତ୍ ୩୧ ଶହ ଟଙ୍କା । ଏଥିପାଇଁ ବରଗଡ଼ ଜିଲ୍ଲା ସୋହେଲାରେ ବିରାଟ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି ମୋହନ ସରକାର । ପ୍ରାୟ ଲକ୍ଷେ ଚାଷୀଙ୍କୁ ଏକାଠି କରି ଇନପୁଟ ସବସିଡି ବାଣ୍ଟିବେ । ନିଜେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀ ସାମିଲ୍ ହେବେ ।
ସୁଭଦ୍ରା ଯୋଜନା ଭଳି ପ୍ରଥମେ ଆକାଉଣ୍ଟକୁ ଯିବ ଏମଏସପି ୨୩ ଶହ ଟଙ୍କା । ତାର ଠିକ୍ ୫ ମିନିଟ୍ ପରେ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଛଡ଼ାଯିବ । ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରିବେ ସରକାର । ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସମାବେଶରେ ଯୋଗ ଦେବେ । ଏଥର ଧାନ କିଣାରେ ସ୍ବଚ୍ଛତା ସହିତ ଦଲାଲଙ୍କ ଉପରେ ରହିଛି ସରକାରଙ୍କ ନଜର ।
ଆଉ କିଛି ଦିନ ପରେ ଖୋଲିବାକୁ ଯାଉଛି ମଣ୍ଡି । ଏଥିପାଇଁ ପ୍ରଶାସନିକ ସ୍ତରରେ କରାଯାଉଛି ସମସ୍ତ ବ୍ୟବସ୍ଥା । ମଣ୍ଡି ଜଗିବାକୁ ଅଫିସରଙ୍କୁ ଦିଆଯାଇଛି ଦାୟିତ୍ବ । ଚଳିତବର୍ଷ ଖରିଫରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି ।