କନକ ବ୍ୟୁରୋ: ଦଦରା, ଜରାଜୀର୍ଣ୍ଣ, ଅତି ଦୟନୀୟ ସ୍ଥିତିରେ ମୟୂରଭଞ୍ଜ ଯଶିପୁରରେ ଥିଵା ସରକାରୀ ୟୁଥ୍ ହଷ୍ଟେଲ । ଭାଙ୍ଗିରୁଜି ଗଲାଣି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧୀନରେ ଥିବା କୋଠା । ୧୦ ବର୍ଷ ଧରି ପରିଚାଳନା କରୁଥିଲେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଭଲ ରାଜସ୍ୱ ମଧ୍ୟ ଆଦାୟ ହେଉଥିଲା । ହେଲେ ବର୍ତ୍ତମାନ ବନ୍ଦ ରହିଛି । କାନ୍ଥରେ ଶିଉଳି ଲାଗିଲାଣି, ଛାତ ଫାଟିବାକୁ ବସିଲାଣି । ଜଳ ଯୋଗାଣ ଏବଂ ବିଦ୍ୟୁତ ସଂଯୋଗ ସବୁ ବନ୍ଦ ରହିଛି ।
୧୯୯୩ ନଭେମ୍ବର ୧୮ ତାରିଖରେ ୟୁଥ୍ ହଷ୍ଟେଲର ଉଦ୍ଘାଟନ କରିଥିଲେ ତତ୍କାଳୀନ ସରକାର । ହଷ୍ଟେଲ୍ ନିର୍ମାଣ ପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫କୋଟିରୁ ଅଧିକ ହେବ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୋଠାଟି ଜଣେ ଜଗୁଆଳିଙ୍କ ଭରସାରେ ରହିଛି । ଜଗୁଆଳି ଜଣକ ମାସମାସ ଧରି ଦରମା ପାଇନଥିବା ଅଭିଯୋଗ ଆଣିଛନ୍ତି ।
ପୂର୍ବରୁ ପର୍ଯ୍ୟଟକମାନେ ଆଶ୍ରୟ ନେଉଥିଲେ । ସରକାରୀ, ବେସରକାରୀ କାର୍ଯ୍ୟକ୍ରମ ସହ ବିବାହ ବ୍ରତ ପାଇଁ ସ୍ଥାନୀୟ ଲୋକେ ବ୍ୟବହାର କରୁଥିଲେ । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ମରାମତି ଦାବି ହୋଇଛି ।