Budget Photograph: (Kanak News)
କନକ ବ୍ୟୁରୋ : ଚଳିତ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ପୂର୍ବ ବଜେଟରେ ମିଳିଥିବା ଟଙ୍କାକୁ କିଛି ବିଭାଗ ଏଯାଏଁ ଖର୍ଚ୍ଚ କରିପାରି ନାହାନ୍ତି । ଖର୍ଚ୍ଚ ବଢ଼ାଇବାକୁ ମୁଖ୍ୟ ଶାସନ ସଚିବ ତାଗିଦ କରିସାରିଛନ୍ତି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଗ୍ରାମାଞ୍ଚଳ ପାଇଁ ବଜେଟରେ କିଛି ବିଶେଷ ଘୋଷଣା କରାଯାଇପାରେ ।
ଆସନ୍ତା ୨୦ ତାରିଖରେ ତୃତୀୟ ଥର ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ କେଉଁ ବିଭାଗକୁ କେତେ ଗୁରୁତ୍ୱ ମିଳିବ, କେଉଁ ନୂଆ ଯୋଜନା ଆସିବ, ଯାହାକୁ ନେଇ ଯୁଦ୍ଧକାଳୀନ ଭିତରେ ଚାଲିଛି ପ୍ରସ୍ତୁତି । ଅର୍ଥ ବିଭାଗ ପକ୍ଷରୁ ଚାଲିଛି ମାରାଥନ୍ ପ୍ରସ୍ତୁତି । କିଛି ଦିନ ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ, ବିଶେଷଜ୍ଞ, ବ୍ୟବସାୟୀଙ୍କୁ ଡାକି ମତମାମତ ଲୋଡ଼ିଥିଲେ । ହେଲେ ସବୁଠୁ ବଡ଼ କଥା ହେଉଛି, ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ । ତେଣୁ ଗାଁ ଭୋଟ୍ ଜିତିବା ପାଇଁ ମୋହନ ସରକାର କିଛି ମାଷ୍ଟର ଷ୍ଟ୍ରୋକ୍ ମାରିପାରନ୍ତି ।
ବଢ଼ିପାରେ ବାର୍ଦ୍ଧକ୍ୟ ଭତ୍ତା: କାରଣ ବର୍ଷ ବର୍ଷ ଧରି ଭତ୍ତା ସହାୟତା ବଢ଼ାଇବାକୁ ଦାବି ହୋଇଆସୁଛି
ସୁଭଦ୍ରାକୁ ମିଳିପାରେ ଅଧିକ ସହାୟି: ମୋହନ ସରକାଙ୍କ ପାଇଁ ଗେମ୍ ଚେଞ୍ଜର ପାଲଟିଥିବା ସୁଭଦ୍ରା ପାଇଁ ବଜେଟରେ ଅଧିକ ଅନୁଦାନ ମିଳିପାରେ
କୃଷି ବିଭାଗ: ଚାଷୀଙ୍କୁ ମିଳୁଥିବା ଇନପୁଟ୍ ସବସିଡି ନେଇ କୃଷି ବିଭାଗକୁ ଅଧିକ ବ୍ୟୟବରାଦ ହୋଇପାରେ
ଗାଁ ବିକାଶ ଉପରେ ଫୋକସ୍: ଗାଁର ବିକାଶ ଉପରେ ଗୁରୁତ୍ବ ଦେଇ କିଛି ନୂଆ ଯୋଜନାର ଘୋଷଣା ହୋଇପାରେ
ମହିଳାଙ୍କ ପାଇଁ ଆସିପାରେ କିଛି ନୂଆ ସ୍କିମ୍
ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ମିଳିପାରେ
୨୬-୨୭ ଆର୍ଥିକ ବଷଁ ପାଇଁ ବଜେଟ୍ ପ୍ରସ୍ତୁତ ହେଉଛି । ହେଲେ ଗୁରୁତ୍ୱପୂର୍ଣ୍ଣ ହେଲା, ପୂର୍ବ ବର୍ଷର ବଜେଟ୍ ଅନୁଦାନ ଆଶାନୁରୂପ ଭାବେ ଖର୍ଚ୍ଚ ହୋଇ ପାରି ନାହିଁ । ସାଧାରଣ ପ୍ରଶାସନ, ପଞ୍ଚାୟତରାଜ, ପାନୀୟ ଜଳ, ଜଙ୍ଗଲ ପରିବେଶ ବିଭାଗ, ଗ୍ରାମ ଉନ୍ନୟନ ବିଭାଗର ଖର୍ଚ୍ଚ କମ୍ ରହିଛି । ଏନେଇ ଖର୍ଚ୍ଚ ବଢ଼ାଇବା ପାଇଁ ବାରମ୍ବାର ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏଥର ବଜେଟ୍ ଆକାର ବଢ଼ି ୩ ଲକ୍ଷ କୋଟି ଟପିପାରେ ।
Follow Us