କନକ ବ୍ୟୁରୋ: ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପୂର୍ବରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳୁଥିଲା। ଏପ୍ରିଲ ପହିଲାରୁ ନବମ ଓ ଦଶମ ପିଲାଙ୍କୁ ବି ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିସହ ସପ୍ତାହରେ ତିନିଦିନ ଅଣ୍ଡା ଓ ତିନିଦିନ ମାଣ୍ଡିଆ ଲଡୁ ମିଳିବ। ଏହାକୁ ନେଇ ପିଲା ଉତ୍ସାହିତ ଅଛନ୍ତି; କିନ୍ତୁ ଏହା କେମିତି ସଫଳ ହେବ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀ, ପାଚିକା, ସହାୟିକାଙ୍କୁ ଚିନ୍ତା ଘାରିଛି ।

Advertisment
  • ପିଲା ବଢୁଛନ୍ତି, ପାଚିକା ନାହାନ୍ତି
  • ମଧ୍ୟାହ୍ନ ଭୋଜନ ରାନ୍ଧିବ କିଏ?
  • କିଏ ତିଆରି କରିବ ଲଡୁ? 

ବାଲେଶ୍ଵର ମ୍ୟୁନିସିପାଲିଟି ହାଇସ୍କୁଲ, ପୂର୍ବରୁ ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୬୦ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ଏପ୍ରିଲ ପହିଲାରୁ ୧୨୦ ଜଣ ନବମ ଓ ଦଶମ ପିଲାଙ୍କୁ ସାମିଲ କରାଯିବ। ଏଥିପାଇଁ ଏହି ସ୍କୁଲରେ ୪ ଜଣ ପାଚିକା ଓ ସହାୟିକା ଅଛନ୍ତି । ନବମ ଓ ଦଶମ ଶ୍ରେଣୀର ଅତିରିକ୍ତ ୧୨୦ ଜଣ ପିଲାଙ୍କ ପାଇଁ ଏହି ୪ଜଣ ହିଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବେ। ଯାହାକି ସେମାନଙ୍କ ପକ୍ଷେ କଷ୍ଟକର ବୋଲି କହିଛନ୍ତି ପାଚିକା ଓ ସହାୟିକା। ସେହିପରି ମାଣ୍ଡିଆ ଲଡୁ ତିଆରି ଜାଣି ନଥିବାରୁ ଚିନ୍ତାରେ ପଡିଛନ୍ତି। 

ନିୟମ ଅନୁସାରେ, ୧ ରୁ ୨୫ ଛାତ୍ରଛାତ୍ରୀ ପାଇଁ ଜଣେ ପାଚିକା ତଥା ସହାୟିକା, ୨୬ ରୁ ୧୦୦ ଜଣ ପାଇଁ ୨ଜଣ, ୧୦୧ ରୁ ୨୦୦ପାଇଁ ୩ ଜଣ, ୨୦୧ ରୁ ୩୦୦ ପାଇଁ ୪ ଜଣ ଓ ଏହାଠାରୁ ଅଧିକ ପ୍ରତି ୧୦୦ ଜଣ ପିଲାଙ୍କ ପାଇଁ ଜଣେ ପାଚିକା ଓ ସହାୟିକା ରହିବେ । କିନ୍ତୁ ଏହା ଭିତରେ କୌଣସି ନିଯୁକ୍ତି ଦିଆଯାଇନାହିଁ। ତେଣୁ ବର୍ତ୍ତମାନ ଥିବା ପାଚିକା ଓ ସହାୟିକାମାନେ ହିଁ ଅଧିକ ପିଲାଙ୍କୁ ରାନ୍ଧିକି ଦେବେ । ଏଥିସହ ମଧ୍ୟାହ୍ନ ଭୋଜନ ସହିତ ଏମାନଙ୍କୁ ବିନା ତାଲିମରେ ମାଣ୍ଡିଆ ଲଡୁ ତିଆରି କରିବାକୁ ପଡ଼ିବ । 

ବାଲେଶ୍ଵର ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ ଲକ୍ଷ ୪୦ ହଜାର ୭୭୪ ଜଣ ପିଲା ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଏବେ ନବମ ଓ ଦଶମ ଶ୍ରେଣୀର ୬୮ ହଜାର ୨୨୫ ଛାତ୍ରଛାତ୍ରୀ ସାମିଲ୍ ହେବେ। ତେବେ କେବଳ ବାଲେଶ୍ବର ଜିଲ୍ଲା ନୁହେଁ। ରାଜ୍ୟରେ ଥିବା ସମସ୍ତ ସ୍କୁଲରେ ସମାନ ଅବସ୍ଥା। ଏହାସହ ନୂଆ କରି ଆରମ୍ଭ ହେବାକୁ ଯାଉଥିବା ବାଲ ବାଟିକା ପିଲାମାନେ ମଧ୍ୟ ଖାଇବେ। କିନ୍ତୁ ଏମାନଙ୍କ ପାଇଁ ଅଧିକ ପାଚିକା ଓ ସହାୟିକା ନିଯୁକ୍ତ ହୋଇନାହାନ୍ତି ।