କନକ ବ୍ୟୁରୋ: ସରକାରଙ୍କ ବର୍ଷ ପୂରାଣି ଲାଗି ଅନେକ ଯୋଜନା । ରିପୋର୍ଟ କାର୍ଡଠାରୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ହେଲେ ବିରୋଧୀ ଏହାକୁ ଭିନ୍ନ ଆଖିରେ ଦେଖିଛନ୍ତି । ରଙ୍ଗବୋଳା ସରକାର କହି କଟାକ୍ଷ କରିବା ସହ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି ବିରୋଧୀ ।

Advertisment

ଜୁନ ୧୨ରେ ମୋହନ ସରକାରଙ୍କୁ ପୂରୁଛି ବର୍ଷେ। ଏହି ବର୍ଷ ବାର୍ଷିକ ଉତ୍ସବକୁ ଧୁମଧାମରେ ପାଳିବାକୁ ସରକାର ଯୋଜନା କରିଛନ୍ତି । ସରକାରଙ୍କ ସଫଳତାର ପ୍ରଚାର ପ୍ରସାର ଲାଗି ପ୍ରସ୍ତୁତ ହୋଇଛି ବ୍ଲ୍ୟୁପ୍ରିଣ୍ଟ । ଏହିଦିନ ମୋହନ ସରକାର ନିଜ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ । ସହରଠୁ ଆରମ୍ଭ କରି ପଞ୍ଚାୟତସ୍ତରରେ ଲୋକେ ଜାଣିବେ ସରକାରଙ୍କ ସଫଳତାର କାହାଣୀ । ଠିକ୍‌ ସେହିଦିନ ସରକାରଙ୍କୁ କାଉଣ୍ଟର କରି ବିଜେଡି ପାଳିବ ବିଫଳତାର ଏକ ବର୍ଷ । ପ୍ରତିଶ୍ରୁତି ଦେଇ ବିଜେପି ପାଳନିଥିବା କଥା ସବୁ ଲୋକଙ୍କୁ ଗଣାଇବ ଦଳ । ଶପଥ ନେବା ଦିନଠାରୁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିବା ମୋହନ ସରକାର କେମିତି ଫେଲ୍‌ ମାରିଛନ୍ତି? ସେ ପ୍ରସଙ୍ଗ ଉଠାଇବ ବିଜେଡି । ତା’ ସହ ପୂର୍ବ ସରକାର ଠରୁ ଏ ସରକାର କେମିତି ଭିନ୍ନ? ତାହା ରାଜ୍ୟବାସୀଙ୍କୁ ଜଣାଇବାକୁ ଜୋରଦାର ପ୍ରସ୍ତୁତି ହେଉଛନ୍ତି ବିରୋଧୀ । 

ସେପଟେ ସହର ସାରା ଛାଇଯାଇଛି ପୋଷ୍ଟର । ସବୁ ପୋଷ୍ଟରରେ କଂଗ୍ରେସ ଓ ବିଜେଡିକୁ ଭୀଷଣ ଟାର୍ଗେଟ । ଓବିସି ସଂରକ୍ଷଣ ନେଇ ବିଜୁ, ଜାନକୀ ଓ ନବୀନଙ୍କ ସମୟରେ କିଛି ହୋଇନଥିଲା ବୋଲି ଏଥିରେ ଲେଖାଯାଇଛି । କିନ୍ତୁ ଏ ପୋଷ୍ଟର କାହିଁକି ଓ କାହା ସ୍ବାର୍ଥରେ ଲଗାଯାଇଛି? କାହାପାଖେ ଖବର ନାହିଁ । ତେବେ କଂଗ୍ରେସ କହିଛି, ଏ ସରକାର ରଙ୍ଗବୋଳା ସରକାର; ଯୋଜନା ନାଁ ବଦଳାଇବାରେ ସୀମିତ । 

ନୂଆ ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ରିପୋର୍ଟ କାର୍ଡ ଧରି ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବର୍ଷ ପୂର୍ତ୍ତିର ଟ୍ୟାଗଲାଇନ ହେବ ‘ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ’ ।