କନକ ବ୍ୟୁରୋ : ବେଆଇନ ଭାବେ ବିକ୍ରି ହୋଇଥିବା ଜଗନ୍ନାଥଙ୍କ ଜମିକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ପୁରୀ ବାସେଳୀ ସାହି ଥାନା, ମାଟିତୋଟା ମୌଜାରେ ୬୪ ଏକର ୮୮ ଡିସିମିଲ ଜମି ବିକ୍ରି ହୋଇଥିଲା । ଏହାକୁ ଜବରଦଖଲ ଦର୍ଶାଇ ଆଇନକୁ ମାଡ଼ି ମକଚି ଏହି ଜମିକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କୁ ଟେକି ଦେଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀ ସାହି ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ୟକ୍ତିଗତ ଭାବେ ଜିଲ୍ଳାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ମୂଲ୍ୟବାନ ଜମି ବେଆଇନ ଭାବେ ଜବରଦଖଲ କରିବା ଓ ହସ୍ତାନ୍ତର କରିବା ଆଇନତଃ ଅପରାଧ। ଏଥିରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏକ ପ୍ରେସ ଇସ୍ତାହାରରେ ଅବଗତ କରିଥିଲା । କୋଟି କୋଟି ଓଡ଼ିଆଙ୍କ ଭାବାବେଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ହୋଇ ରହିଥିବାରୁ ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଦେଖାଇଛି ଆଇନ ବିଭାଗ। ବିଭାଗୀୟ ମନ୍ତ୍ରୀ କହିଛନ୍ତି-
ଆଇନ ମନ୍ତ୍ରୀଙ୍କ ନାଲିଆଖି
ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
କ୍ରେତା-ବିକ୍ରେତା ଓ ସମ୍ପୃକ୍ତ ସବରେଜିଷ୍ଟ୍ରାରଙ୍କ ବିରୋଧରେ ନିଆଯିବ ପଦକ୍ଷେପ
ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରିବେ ନାହିଁ ସରକାର
ବାସେଳୀ ସାହି ଜମି ବିକ୍ରି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
ତେଣୁ ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ସେ ତାହା ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହଛନ୍ତି ଆଇନ ମନ୍ତ୍ରୀ।
ଅନ୍ୟପଟେ ଜବରଦଖଲରେ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ। ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିର ସେଟଲମେଣ୍ଟ କରାଯିବ। ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ଦୀର୍ଘଦିନ ଧରି ଲୋକେ ଜବରଦଖଲ କରି ରଖିଛନ୍ତି। ଏହାକୁ ମୁକୁଳାଇ ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଫେରାଇ ଅଣାଯିବ। ୟୁନିଫର୍ମ ପଲିସିରେ ସେଟଲମେଣ୍ଟ ଫଳରେ ୮ରୁ ୧୦ ହଜାର କୋଟିର କର୍ପସ ଫଣ୍ଡ ଗଠନ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।