କନକ ବ୍ୟୁରୋ: ରାଜ୍ୟରେ ଚଳିତ ରବି ଋତୁରେ ଧାନ କିଣା ନେଇ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ହୋଇଛି । ସମ୍ପୃକ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ରଖି ଧାନ କିଣା ସୁପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଏଥର ରବି ଋତୁରେ ୧୪ ଲକ୍ଷ ମାଟ୍ରିକ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେପଟେ ଧାନ କିଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।
ଧାନ କିଣା ନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ, ଚଳିତ ରବିଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସାଟେଲାଇଟ୍ ସର୍ଭେ ଚାଲିଛି, ପରେ ଫିଜିକାଲ ସର୍ଭେ ପରେ ଟୋକନ ବାଣ୍ଟିବା ସହ ଧାନ କିଣା ଆରମ୍ଭ ହେବ । ଏଥର ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାକୁ ମିଶାଇ ୨୦ଟି ଜିଲ୍ଲାରୁ ଧାନକିଣା ହେବ । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ପ୍ରକ୍ରିୟା ଜାରି ରହିବ । ଧାନ ବିକିବାକୁ ଏଥର ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ଅଧିକ ରହିଛି । ଚଳିତ ରବି ଋତୁରେ ମୋଟ୍ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ରବିରେ ୧୪ ଲକ୍ଷ ମାଟ୍ରିକ ଟନ ଧାନ କିଣିବା ନେଇ ମନ୍ତ୍ରୀଙ୍କ ଘୋଷଣା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଟନୀ ଛଟନୀ ସହ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ଉଭୟ ବିଜେଡି ଓ ବିଜେପି । ‘ଖରିଫ ଋତୁରେ ୯୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯିବ ବୋଲି ସରକାର କହିଥିଲେ । କିନ୍ତୁ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ ।’ ଏହା କେବଳ କଥାକୁହା ସରକାର ବୋଲି କହିଛନ୍ତି ବିରୋଧୀ । ଜବାବ ରଖି ମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ଅମଳରେ ୫୮ ଲକ୍ଷ ମେଟ୍ରିକ୍ ଟନ୍ କିଣା ଯାଇଥିଲା । ଏଥର ଖରିଫ ଋତୁରେ ପ୍ରାୟ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । କ୍ବିଣ୍ଟାଲ ପିଛା ୩୧୦୦ ମୂଲ୍ୟରେ ୨୨ ହଜାର ୭୭୭ କୋଟି ଟଙ୍କା କୃଷକଙ୍କୁ ପ୍ରଦାନ କରାଯାଇଛି ।
ଖରିଫ ଧାନ କିଣା ସମୟରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ବିକଳ ଚିତ୍ର ସାମ୍ନାକୁ ଆସିଥିଲା । ମଣ୍ଡି ଏବଂ ଟୋକନ ବଣ୍ଟାରେ ଅବ୍ୟବସ୍ଥା ଯୋଗୁ ଚାଷୀ ଠିକ ସମୟରେ ପାଉଣା ପାଇପାରିନଥିଲା । କେତକ କ୍ଷେତ୍ରରେ କଟନୀ ଛଟନୀ ଯୋଗୁ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରିନଥିଲା । ରବି ଧାନ କିଣାରେ ସରକାର ତ୍ରୁଟି ସୁଧାରିବେ ବୋଲି ଆଶାରଖିଛନ୍ତି ଚାଷୀ ।