କନକ ବ୍ୟୁରୋ: ଅଭିଭାବକ ମାନେ ଯେଉଁ ବସରେ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ତାହା କେତେ ସୁରକ୍ଷିତ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। କାରଣ ବିନା ଫିଟନେସରେ ଚାଲୁଛି ସ୍କୁଲ ବସ୍‌ । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ରାଜଧାନୀ ଭୁବନେଶ୍ୱରରେ ୪୬୦ଟି ସ୍କୁଲ ବସ୍ ବିନା ଫିଟନେସରେ ଗଡୁଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି ।

Advertisment

ପିଲାଙ୍କୁ ସ୍କୁଲ ବସରେ ପାଠ ପଢ଼ାଇବାକୁ ଛାଡୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ଫିଟନେସ୍ ନଥିବା ସ୍କୁଲ ବସରେ ଅସୁରକ୍ଷିତ ଭାବେ ଯାଉଛନ୍ତି କୁନି କୁନି ପିଲା । ଖୋଦ୍ ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍ । ଭୁବନେଶ୍ୱରରେ ୪୬୦ ସ୍କୁଲ ବସ୍‌ ବିନା ଫିଟନେସରେ ଗଡୁଛି । ବିଧାନସଭାରୁ ଆସିଛି ଏହି ଉଦ୍‌ବେଗଜନକ ତଥ୍ୟ । ରାଜଧାନୀରେ ମୋଟ ୧୪ ଶହ ୮୪ଟି ସ୍କୁଲ ବସ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୪୬୦ ବସର ଫିଟନେସ୍ ନାହିଁ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।

ପିଲାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଉ ଏହାକୁ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି । ଫିଟନେସ୍‌ ନଥିବା ସ୍କୁଲ ବସକୁ କିଭଳି ଅନୁମତି ଦିଆଯାଉଛି? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯଦି ରାଜଧାନୀରେ ସ୍କୁଲ ବସର ଅବସ୍ଥା ଏମିତି...ତେବେ ଅନ୍ୟ ଜିଲ୍ଲା ମାନଙ୍କରେ ପିଲାମାନେ କେତେ ସୁରକ୍ଷିତ? ତାକୁ ନେଇ ଉଠିଛି ପ୍ରଶ୍ନ । କାହିଁକି ନିୟମିତ ଯାଞ୍ଚ ହେଉନି ବସର କାଗଜପତ୍ର? କେମିତି ଫିଟନେସ୍ ନଥିବା ସ୍କୁଲ ବସକୁ ରାସ୍ତାରେ ଯାତାୟତ ପାଇଁ ଦିଆଯାଉଛି ଅନୁମତି ?