କନକ ବ୍ୟୁରୋ: ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ତୁହାକୁ ତୁହା ବୈଠକ ବସୁଛି। ସମସ୍ତ ପରିସ୍ଥିତିର ଯେମିତି ମୁକାବିଲା କରି ହେବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କୂଳକୁ ଯାଉଥିବା ଲୋକଙ୍କୁ ସତର୍କ କରୁଛି ପ୍ରଶାସନ। ପାଣି ଭିତରକୁ ନଯିବାକୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି।
ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିବା ପରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସଫଳତାର ସହ ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଓଡିଆରଏଫ, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏପଟେ ବୈଠକ ହୋଇଛି। ଏସଆରସିଙ୍କ ସମେତ ବିଭିନ୍ନ ବିଭାଗ ଓ ବରିଷ୍ଠ ଅଧିକାରୀ ବାତ୍ୟା ମୁକାବିଲ ନେଇ ଆଲୋଚନା କରିଛନ୍ତି। ଏଥିସହ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା ସହ ସମସ୍ତ ଜିଲ୍ଳାପାଳଙ୍କୁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କୁ ସାବଧାନ କରିଛନ୍ତି ଯୋଗାଣ ମନ୍ତ୍ରୀ। ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ବାତ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି। ସମସ୍ତ ହସ୍ପିଟାଲକୁ ଡାଏରିହା ଔଷଧ ସହ ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସମୁଦ୍ର କୂଳିଆ ଲୋଙ୍କ ଚିନ୍ତା ବଢ଼ିଛି। କେମିତି ବେଉସା ଓ ଜୀବନ ବଂଚାଇବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
Follow Us