କନକ ବ୍ୟୁରୋ: ସମ୍ପତ୍ତି ତାଲିକା ଦାଖଲ କରିବାରେ ସରକାରୀ ବାବୁଙ୍କ ଏତେ ସଙ୍କୋଚ କାହିଁକି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପୁଣିଥରେ ସରକାରୀ ବାବୁଙ୍କୁ ସମ୍ପତ୍ତି ଦାଖଲ କରିବାକୁ ଚିଠି ଲେଖି ମନେ ପକାଇଛି ସାଧାରଣ ପ୍ରଶାସନ ବିଭାଗ । ମାସ ମାସ ଧରି ସରକାରୀ ବାବୁ ନିର୍ଦ୍ଦେଶକୁ ବେଖାତିର କରୁଥିଲେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି ସରକାର । 

Advertisment

ତାରିଖ ପରେ ତାରିଖ ବଦଳୁଛି । ହେଲେ ସମ୍ପତ୍ତି ତାଲିକା ଦେବାକୁ ବାବୁଙ୍କର ହାତ ଯାଉନି । ସବୁ ବିଭାଗର ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୱାରୀ ବାବୁଙ୍କର ସମ୍ପତ୍ତି କେତେ ତାହା ଏଚଆରଏମଏସ ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏଥିପାଇଁ ମେ ୩୧କୁ ଡେଡଲାଇନ ରଖାଯାଇଛି । ତେବେ ଏ ଡେଡଲାଇନ ଦୀର୍ଘ ୬ ମାସ ହେବ ଅଳସୁଆ ବାବୁଙ୍କ ପାଇଁ ଘୁଞ୍ଚି ଘୁଞ୍ଚି ଚାଲିଛି।  ସର୍ଭିସ ରୁଲ ଅନୁସାରେ ପ୍ରତ୍ୟେକ ବର୍ଷ ଉପରୁ ତଳ ଯାଏଁ ସରକାରୀ ଅଧିକାରୀ ସମ୍ପତ୍ତି ତାଲିକାର ଦାଖଲ କରିବାର ନିୟମ ରହିଛି । ହେଲେ ସମ୍ପତ୍ତି ତାଲିକା ଦାଖଲ କରିବାକୁ ଅନେକ ବଡ ବଡିଆ ଅମଙ୍ଗ। 

ଗତ କିଛି ଦିନ ହେବ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଭିଜିଲାନ୍ସରେ ପଞ୍ଝାରେ ଅନେକ ସରକାରୀ ବାବୁ ପଡିଥିବାର ନଜିର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକଥା ସ୍ପଷ୍ଟ କରିଛନ୍ତି, ଦୁର୍ନୀତିଖୋର ବାବୁଙ୍କୁ ନିସ୍ତାର ନାହିଁ । ତେଣୁ ସେହି ଭୟରେ ସମ୍ପତ୍ତି ତାଲିକା ଦେବାରେ ପଛଘୁଞ୍ଚା ଦେଉନାହାନ୍ତି ତ ଅଧିକାରୀ?