କନକ ବ୍ୟୁରୋ: ଆବାସର ପ୍ରକୃତ ହିତାଧିକାରୀ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ । ଭଙ୍ଗା ୩ ଫୁଟିଆ ଜରିପାଲ ତଳେ ବିତୁଛି ଜୀବନ। ଗରିବ ଆଦିବାସୀମାନେ ଘରଟିଏ ପାଇଁ ଆବେଦନ କରିକରି ଥକି ପଡୁଥିବା ବେଳେ, ସରକାରୀ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।
ଦୁଃଖୀ ମଣିଷର ଦୁଃଖ ସରେନି। କି ଅଭାବ ଅସୁବିଧା ତା ପାଖ ଛାଡୁନି। ସରକାରଙ୍କ ନଜର ବି କେବେ ସେମାନଙ୍କ ଉପରେ ପଡୁନି। ଯଦି ସରକାର ଦେଖୁଥାନ୍ତେ, ତାହାହେଲେ ଏଭଳି ଘଟଣା ଦେଖିବାକୁ ମିଳିନଥାନ୍ତା। ୩ ଫୁଟିଆ ଜରିପାଲ ତଳେ ଜୀବନ ବିତୁନଥାନ୍ତା। ଝୁମ୍ପୁଡ଼ି ଘରେ ଗୁରୁଣ୍ଡି ଗୁରୁଣ୍ଡି ଚଳାଚଳ କରୁନଥାନ୍ତେ। ଏଇ ଯେମିତି ପ୍ରତିଦିନ ମରିମରି ବଂଚୁଛନ୍ତି କେନ୍ଦୁଝର ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ୧୧ ନଂ ୱାର୍ଡ ହାଟସାହି ବାସିନ୍ଦା।
ହାଟସାହିର ପ୍ରାୟ ୯୯ ଭାଗ ଲୋକ ଆଦିବାସୀ ସଂପ୍ରଦାୟର । ୯୫ ଭାଗ ଆର୍ଥିକ ଅନଗ୍ରସର । ମୁଲମଜୁରୀ ଲାଗିଲେ ପିଲାଛୁଆଙ୍କ ପେଟକୁ ଦାନା ଯାଏ । ପ୍ରାୟ ଲୋକ ଭଙ୍ଗା ଚାଳ ଝୁମ୍ପୁଡି ଘରେ ବସବାସ କରୁଛନ୍ତି। ପଞ୍ଚାୟତରେ ଆବାସ ଯୋଜନାରେ ହଜାର ହଜାର ଘର ଯୋଗାଇ ଦିଆଯାଇଛି, କିନ୍ତୁ ହାଟସାହିର ଅନେକଙ୍କୁ ମିଳିନାହିଁ । ଧୁବରାଜ ମାରାଣ୍ଡି କୁଡ଼ିଆରେ ରହୁଥିବା ବେଳେ ଅନେକ ଥର ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କରିଛନ୍ତି । ହେଲେ ତେଲିଆ ମୁଣ୍ଡରେ ତେଳ ଭଳି ଥିଲାବାଲାଙ୍କୁ ସିନା ମିଳିଛି କିନ୍ତୁ ତାଙ୍କ ପାଳି ପଡ଼ିନାହିଁ ।
ହାଟଡିହି ବ୍ଲକ ଆବାସ ଯୋଜନାରେ ଯେମିତି ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ବ୍ଲକ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ତେଣୁ ଶୀତତାପ ନିୟନ୍ତ୍ରିତ କୋଠାରେ ନବସି ସରକାରୀ ବାବୁମାନେ ଥରେ ବୁଲି ଯାଆନ୍ତୁ ଏହି ସାହିକୁ। ଦେଖି ଆସନ୍ତୁ ସାହିବାସିନ୍ଦାଙ୍କ ଦୁଃଖକୁ। ଅନୁଧ୍ୟାନ କରି ତୁରନ୍ତ ଯୋଗାଇ ଦିଅନ୍ତୁ ଆବାସ ଯୋଜନାରେ ପକ୍କା ଘରଟିଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/28/4soKewuxRIjYXF6VUCbF.jpg)