କନକ ବ୍ୟୁରୋ: ପୁରୀ ଶରଧାବାଲିରେ କଳାଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲାରୁ ଯେଉଁ ଅଘଟଣ ଘଟିଲା ସାରା ରାଜ୍ୟକୁ ଦୁଃଖିତ କରିଛି। ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପରିଚାଳନାଗତ ତ୍ରୁଟି ପାଇଁ ୩ ଭକ୍ତଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି ।   

Advertisment

ଶରଧାବାଲିରେ ଅବ୍ୟବସ୍ଥାରୁ ହୋଇଥିବା ଅଘଟଣ ପୁରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ପ୍ରଶାସନର ପରିଚାଳନାଗତ ତ୍ରୁଟି, ସମନ୍ବୟ ଅଭାବ ଭକ୍ତଙ୍କ ଜୀବନ ନେଇଛି। ବଡ କଥା ହେଉଛି ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ପୁରୀରେ ବାରମ୍ବାର ଏଭଳି ଘଟଣା ଘଟିଛି । ଗତକାଲିର ଘଟଣାକୁ ମିଶାଇ ମୋଟ ୫ ଥର ଦଳାଚକଟା ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । 

ପୁରୀରେ ଅଘଟଣ
୨୦୦୬ କାର୍ତ୍ତିକ ପୂର୍ଣ୍ଣିମା: ୪ ମୃତ 
୨୦୦୬ ମସିହା ନଭେମ୍ୱର ୪ ତାରିଖ, ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳା ଆରତୀବେଳେ ଦଳାଚକଟା ହୋଇଥିଲା । ଏଥିରେ ୪ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ଓ ୩୦ରୁ ଅଧିକ ଆହତ ହୋଇଥିଲେ । 

ପୁରୀରେ ଅଘଟଣ
୨୦୦୮ ରଥଯାତ୍ରା: ୬ ମୃତ
୨୦୦୮ ମସିହା ଜୁଲାଇ ୪ ତାରିଖ, ଠାକୁରଙ୍କ ପହଣ୍ଡି ଚାଲିଥିବା ବେଳେ ଭିଡ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହେବାରୁ ଦଳାଚକଟା ହୋଇଥିଲା । ଏଥିର ୬ ଜଣଙ୍କ ମୃତ୍ୟୁ ଓ ବହୁ ଭକ୍ତ ଆହତ ହୋଇଥିଲେ । 

ପୁରୀରେ ଅଘଟଣ
୨୦୧୨ ରଥଯାତ୍ରା:୨ ମୃତ
୨୦୦୮, ଜୁନ ୨୧ ତାରିଖରେ ରଥଯାତ୍ରାରେ ବଡ଼ଦାଣ୍ଡରେ ରଥ ଟାଣିବା ବେଳେ ଠେଲାପେଲାରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଜଣେ ମହିଳା ଓ ଜଣେ ପୁରୁଷ ଭକ୍ତଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର ।   

ପୁରୀରେ ଅଘଟଣ
୨୦୧୫ ନବକଳେବର: ୨ ମୃତ 
୨୦୧୫ ମସିହା ଜୁନ ୨୯ ତାରିଖ ନବକଳେବର ରଥଯାତ୍ରା ସମୟରେ ରଥ ଟାଣିବା ବେଳେ ମରିଚକୋଟ ଛକ ଓ ବଳଗଣ୍ଡି ଛକ ମଧ୍ୟରେ ଦଳାଚକଟାରେ ୨ ଜଣ ମହିଳା ଭକ୍ତଙ୍କ ଜୀବନ ଯାଇଥିଲା । 

ଚଳିତବର୍ଷ ରଥଯାତ୍ରାର ପ୍ରଥମ ଦିନରେ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଥିଲେ । ଏହି ଘଟଣାରୁ ସରକାର ସତର୍କ ହୋଇଯିବାର ଥିଲା । ରଥଯାତ୍ରା ପରିଚାଳନା ଓ ଦର୍ଶନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବାର ଥିଲା । କିନ୍ତୁ ଗତକାଲିର ଘଟଣା ପୂରା ଅବ୍ୟବସ୍ଥାକୁ ପଦାରେ ପକାଇଛି ।