କନକ ବ୍ୟୁରୋ : କଣ କରିବେ ସୁଜାତା କାର୍ତ୍ତିକେୟନ? ତାଙ୍କ ଛୁଟିକୁ ବଢାଇଲେନି ସରକାର। ଆଜିଠାରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଛୁଟି ଆଉ ୬ ମାସ ବଢ଼ାଇବାକୁ ଆବେଦନ କରିଥିଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ଛୁଟିକୁ ବଢାଇଲେନି ସରକାର । ଗତ ମେ ମାସରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ,ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ । ସୁଜାତା ନଭେମ୍ବର ୨୭ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି, ଏନେଇ ତାଙ୍କୁ ଅବଗତ କରାଯାଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ସୁଜାତାଙ୍କୁ ଚିଠି ଲେଖି ଜଣାଇଛନ୍ତି । ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ସ୍ପଷ୍ଟ କରାଯାଇଛି । ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇଥିଲା । ଏହାପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା ।