କନକ ବ୍ୟୁରୋ :   ପୁରୀ ଡେଲାଙ୍ଗ ରତନପୁର ଗାଁରୁ ନାବାଳକ ନିଖୋଜ ଘଟଣାକୁ ୬ ଦିନ ପୁରିଲାଣି । ହେଲେ ଏଯାଏ ପିଲାଟିର ଖୋଜଖବର ମିଳୁନାହିଁ । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ, ନିଆଁ ଜାଳି ରାସ୍ତାରୋକ କରିବା ସହ ଶ୍ରୀଘ୍ର ପିଲାଟିକୁ ଖୋଜି ଆଣିବାକୁ ଦାବି କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତଭାର ନେବାକୁ ପ୍ରତିବାଦକାରୀ ଦାବି କରିଛନ୍ତି । 

Advertisment

ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷ ବୟସ୍କ ପୁଅ ଆଶୀର୍ବାଦ ଖେଳୁଥିବା ସମୟରେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ୍ ସନ୍ଧାନ ଚଳାଇଛି । ହେଲେ ପୋଲିସ କିଛି ବି ସୁରାକ୍ ପାଉନି । କୁଆଡ଼େ ଗଲା? କାହା ସାଙ୍ଗରେ ଗଲା? ନା କିଏ ଅପହରଣ କରିନେଲା? କିଛି ଜଣାପଡୁ ନାହିଁ ।  କେହି ଅପହରଣ କରି ନେଇଥିବା ସନ୍ଦେହରେ ପିପିଲି ଏସଡିପିଓଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରାଯାଇ ଛାନଭିନ୍ କରାଯାଉଛି । ପୁରୀ ଏସପି ରତନପୁର ଗାଁରେ ପହଞ୍ଚି ଡଗ ସ୍କ୍ୱାଡ ସହାୟତାରେ ତଦନ୍ତ କରୁଛନ୍ତି । ପ୍ରତିବାଦକାରୀଙ୍କ ଠାରୁ ୨୪ ଘଣ୍ଟାର ସମୟ ନେଇଛି ପୋଲିସ୍ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଦାବି ବିଷୟରେ ଏସପିଙ୍କୁ ଜଣାଇବେ ବୋଲି କହିଛନ୍ତି ପୁରୀ ଅତିରିକ୍ତ ଏସପି । 

 ସମୟ ଯେତେ ଗଡ଼ୁଛି ଅପହୃତ ନାବାଳକଙ୍କ ପରିବାର ଛାତିରେ ଅଧିକା ଛନକା ପଶୁଛି । ନିଜ ପୁଅକୁ କେମିତି ଓ କେବେ ଫେରିପାଇବେ, ସେହି ଅପେକ୍ଷାରେ ଦିନଗଣୁଛନ୍ତି ବାପାମାଆ ।