ଜୀବନ ଏଠି ମୂଲ୍ୟହୀନ ! ପୋଡ଼ି ଯାଉଛି ପାଠ..ମରିଯାଉଛି ମନ.. ଧ୍ୱସ୍ତବିଧ୍ୱସ୍ତ ପିଲାଦିନ

ଏଠି ମାଟିରେ ଲୋଟିଯାଉଥିବା ପିଲାକୁ ତୋଳି ଆଣିବାକୁ ସାହାସ ଜୁଟେଇ ପାରେନି ମାଆ । ଅଭାବ ଆଗରେ ହାରିଯିବାକୁ ବାଧ୍ୟ ହୁଏ ମମତା । ଇଚ୍ଛା ନଥାଇବି କଅଁଳ ମୁଣ୍ଡରେ ଜାଳେଣି ବୋଝ ଲଦିଦିଏ ମାଆ । କୁବେର ଖଣି ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଆସିଛି ଏହି କରୁଣଚିତ୍ର ।

Mines

Mines Photograph: (Kanak News)

କନକ ବ୍ୟୁରୋ : ଖଣିରୁ ସରକାରଙ୍କୁ ମିଳୁଛି ପୁଳାପୁଳା ଟଙ୍କା । ହେଲେ, ଖଣି ବାହାରେ ମେଞ୍ଚାମେଞ୍ଚା ଯନ୍ତ୍ରଣାରେ ଛଟପଟ ହେଉଛି ମଣିଷ । କେଉଁଠି କଅଁଳ ମୁଣ୍ଡରେ ଜାଳେଣି ବୋଝ । ଆଉ କେଉଁଠି ଅଭାବ ଭିତରେ ହଜିଯାଉଛି ଶୈଶବ । ବିଦ୍ୟାଳୟ ନୁହେଁ, ଜଙ୍ଗଲରେ କଟୁଛି ପିଲାଦିନ । ଖେଳକୁଦ ସମୟ ବିତୁଛି କାଠକୁଟା ସଂଗ୍ରହରେ । ଏଠି ମନରେ ହିଁ ମରିଯାଉଛି ବଡ଼ ମଣିଷ ହେବାର ସ୍ୱପ୍ନ । ପେଟ ପାଇଁ ଚୂଲିକୁ ଯାଉଛି ପାଠ । କଙ୍କାଳ ସାର ଶରୀର, ଖାଲି ପାଦ, ମୁଣ୍ଡରେ ନିଜ ଓଜନଠାରୁ ଅଧିକ ଓଜନର ବୋଝ । ତାକୁ ଉଠାଇବା ସମୟରେ ପାଦ ଟଳମଳ । ତଥାପି ସମ୍ଭାଳି ନେଉଛି । କାହିଁକି ଜାଣନ୍ତି, ଏ କାଠ କେଇ ଖଣ୍ଡ ଚୁଲିରେ ଜଳିଲେ, ଭାତ ଗଣ୍ଡାଏ ହେବ, ତା' ଭୋକ ମେଣ୍ଟିବ। ସେଇ ଆଶାରେ ଭାରି ଓଜନିଆ ବୋଝକୁ ବୋହି ନେଉଛି କୁନିଝିଅ । ଆଉ ଆଗକୁ ବଢ଼ୁଛି । ବଢ଼ିବନି ବା କେମିତି ? ଏଥିରେ ପରା ଲୁଚିଛି ତା' ପରିବାର ଅଭାବ । ସେ ପରା ଜଣେ ଅଭାବୀ ଓ ଶ୍ରମିକ ବାପାର ପିଲା ।

ଏଠି ମାଟିରେ ଲୋଟିଯାଉଥିବା ପିଲାକୁ ତୋଳି ଆଣିବାକୁ ସାହାସ ଜୁଟେଇ ପାରେନି ମାଆ । ଅଭାବ ଆଗରେ ହାରିଯିବାକୁ ବାଧ୍ୟ ହୁଏ ମମତା । ଇଚ୍ଛା ନଥାଇବି କଅଁଳ ମୁଣ୍ଡରେ ଜାଳେଣି ବୋଝ ଲଦିଦିଏ ମାଆ । କୁବେର ଖଣି ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଆସିଛି ଏହି କରୁଣଚିତ୍ର । ଯେଉଁଠୁ ଖଣି ଖୋଳି କମ୍ପାନିମାନେ ହେଉଛନ୍ତି କୋଟିପତି । କୋଟିକୋଟିର ରାଜସ୍ୱରେ ଭରୁଛି ସରକାରଙ୍କ ରାଜକୋଷ । ସେଇଠି ଜୀବନ ପାଇଁ ସଂଘର୍ଷ କରୁଛି ଶୈଶବ । ଭୋକ ପାଇଁ ଫୁଙ୍ଗୁଳା ଦେହ, ଖାଲି ପାଦରେ ମାଆ ପଛେ ପଛେ ଧାଉଁଛି ମମତା ।

ଅଧିକ ପଢ଼ନ୍ତୁ : ରୋଗୀଙ୍କ ଜୀବନ ସହ ଖେଳ! ଅସୁରକ୍ଷିତ ବିଲ୍‌ଡିଂରେ ଚାଲିଛି ରୋଗୀସେବା

ବର୍ଷକୁ କେବଳ ଏହି ଅଞ୍ଚଳର ଖଣିରୁ ବାର୍ଷିକ ୧୫ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର । ଏତେ ଟଙ୍କା ଦେଉଥିବା କୋଇଡ଼ାରେ ବିକାଶ ଏବେ ଆକ୍ତାମାକ୍ତା । ଜିଲ୍ଲା ଖଣିଜ ପାଣ୍ଠି ନେଇ ସରକାର ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି । ଚିକ୍ ମିକ୍ ଦୁନିଆର ଆଇନା ଧରାଉଛନ୍ତି । କିନ୍ତୁ ସରକାରଙ୍କ ଫାଇଲ ଓ ବାସ୍ତବତା ମଧ୍ୟରେ ଦୂରତା ଯୋଜନ ଯୋଜନ। ଯଦି କିଞ୍ଚିତ୍‌ ମାତ୍ରାରେ ବି ଉନ୍ନୟନ ମୂଳକ କାର୍ଯ୍ୟକାରୀ ହେଉଥାନ୍ତା, ତେବେ ଆଜି ମରିଚିକା ପଛରେ ଧାଇଁ ନଥାନ୍ତା ଶୈଶବ । କୋଇଡ଼ାର ଦୟନୀୟ ଚିତ୍ର ତାତ୍ସଲ୍ୟ କରୁନଥାନ୍ତା, ସରକାରଙ୍କ ବିକାଶର ସ୍ୱପ୍ନକୁ । ସନ୍ଦେହ କରୁନଥାନ୍ତା, ନେତୃତ୍ୱର ଭାଷଣକୁ ।

ଲୋକସେବା ଭବନରେ ସରକାର ଯେତେ କଥା ବଖାଣନ୍ତୁ, ପେଟକୁ ଗଣ୍ଡାଏ ଖାଇ, ଦଣ୍ଡେ ଜିଇଁବା ପାଇଁ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରୁଛି ଏଠି ମଣିଷ । ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଖଣି ଅଞ୍ଚଳବାସୀ । ଏହା ହିଁ ବିକାଶର ମଖମଲ ପୋଷାକରେ ସଜେଇଥିବା ଖଣି ଅଞ୍ଚଳର ସତ। ହଁ, ଏକମାତ୍ର ସତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe