କନକ ବ୍ୟୁରୋ: ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦ୍ଯାପନୀ ଉତ୍ସବ । ଏଥିରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଖଘୁବର ଦାସ । ସମ୍ୱାଦ ଗ୍ରୁପ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍ ପଞ୍ଚାୟତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ସମ୍ୱାଦ ଗ୍ରୁପ ତାର ୬୦ ଦିନିଆ ଅଭିଯାନରେ ୧୪୬ ବିଧାନସଭା ନିର୍ବାଚନୀ କ୍ଷେତ୍ରରେ ଆୟୋଜନ କରିଥିଲା କ୍ଲାଇମେଟ୍ ପଞ୍ଚାୟତ । ପରିବେଶ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ । ସବୁଠାରୁ ବଡ଼କଥା ହେଉଛି ଏହି ରିପୋର୍ଟକୁ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସରକାର ଏହାର ଲାଭ ଉଠାଇବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି ।
କାର୍ୟକ୍ରମରେ ଯୋଗଦେଇ ପରିବେଶ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ପାଇଁ ଜନଜୀବନ ପ୍ରଭାବିତ ହେଉଛି । ଏହାକୁ କମ୍ କରିବାକୁ ଆଲୋଚନା ଓ ଯୋଜନା ହେଉଛି । କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ଏ ଦିଗରେ ରାଜ୍ୟପାଳଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି କେଭି ସିଂଦେଓ । ରାଜସ୍ୱ ମନ୍ତ୍ରୀ ମଧ୍ୟ ଉନ୍ନୟନ ପ୍ରକଳ୍ପ ପ୍ରତିଷ୍ଠା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକଥା ଦୋହରାଇଛନ୍ତି । ଏଥିପାଇଁ ଜିଲ୍ଲାପାଳମାନଙ୍କ ଦାୟିତ୍ୱ ରହିଥିବା କହିଛନ୍ତି ସୁରେଶ ପୂଜାରୀ ।
ସମ୍ୱାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖିଥିଲେ । ବିକାଶ ନାଁରେ ଆମେ ବିନାଶ କରୁଛୁ । ତେଣୁ ସରକାର ଏଥିପ୍ରତି ସଚେତନ ହୋଇ ପଦକ୍ଷେପ ନେବେ ବୋଲି ପ୍ରସ୍ତାବ ଦେଇଥିଲେ । ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ସମ୍ୱାଦ ଗ୍ରୁପ କିଭଳି ଏହି ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିପାରିଛି ସେନେଇ ବୁଝାଇ କହିଥିଲେ ସମ୍ୱାଦର ସମ୍ପାଦକ ତନୟା ପଟ୍ଟନାୟକ ।
ଏହି ଅବସରରେ ବକୁଳ ଫାଉଣ୍ଡେସନ ଓ ସୋକ୍ରେଟସ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍ ଆଟଲାସକୁ ପ୍ରଦର୍ଶିତ କରିଥିଲେ ସୁଜିତ ମହାପାତ୍ର ଓ ଦେବୋଜିତ ମିତ୍ରା । ସନ୍ଧ୍ୟାରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହୋଇଛି ସମ୍ୱାଦର ୪୦ତମ ଓ କନକ ନ୍ୟୁଜର ୧୫ତମ ପ୍ରତିଷ୍ଠା ଉତ୍ସବ । ଏଥିରେ ଯୋଗ ଦେଇଛନ୍ତି ଦେଶର ଜଣାଶୁଣା ସାମ୍ୱାଦିକ ଶେଖର ଗୁପ୍ତା ଓ ଦୀନେଶ ଚନ୍ଦ୍ର ଶର୍ମା ।
ପୁନଶ୍ଚ ପୃଥିବୀ ମହାସମ୍ମିଳନୀରେ ରାଜ୍ୟପାଳ ସାମିଲ । ସବୁ ଜିଲ୍ଲାପାଳଙ୍କୁ କ୍ଲାଇମେଟ୍ ପଞ୍ଚାୟତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ।
ପୁନଶ୍ଚ ପୃଥିବୀ ମହାସମ୍ମିଳନୀରେ ସାମିଲ ହେଲେ ରାଜ୍ୟପାଳ । ସମ୍ବାଦର କ୍ଲାଇମେଟ୍ ପଞ୍ଚାୟତ ରିପୋର୍ଟ ସବୁ ଜିଲ୍ଲାପାଳଙ୍କୁ ପଠାଇବାକୁ ସରକାରଙ୍କୁ ନିର୍ଦ୍ଦେଶ । ଉନ୍ନୟନ ପ୍ରକଳ୍ପ ପ୍ରତିଷ୍ଠା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକଥା ଦୋହରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ ।