କନକବ୍ୟୁରୋ : ବିଶ୍ୱ ବଜାରରେ ସମ୍ବଲପୁରୀ ବାନ୍ଧ ଶାଢ଼ିର ବେଶ୍ ନାଁ ରହିଛି। ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶାଢ଼ିର ସ୍ୱତନ୍ତ୍ର ଚାହିଦା ରହିଛି । ସୁବର୍ଣ୍ଣପୁରର ବୁଣାକାରଙ୍କ ପ୍ରସ୍ତୁତ ଭଳିକି ଭଳି ଡିଜାଇନର ବାନ୍ଧ ଶାଢ଼ି ଲୋକପ୍ରିୟତା ହାସଲ କରିଛନ୍ତି । ଏଠାକାର କୁଶଳୀ କାରିଗର କେବେ ଗଣିତ ସୂତ୍ର ଥିବା ଶାଢ଼ି ତ କେବେ ହକି ବିଶ୍ବକପର ଡିଜାଇନ କରି ପ୍ରଶଂସା ସାଉଁଟିଛନ୍ତି ।
ଏପରିକି ସମ୍ବଲପୁରୀ ଶାଢ଼ିକୁ ନୂଆ ନୂଆ ଡିଜାଇନ କରି ଅନେକ ସମୟରେ ଜାତୀୟ, ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। କେବଳ ପୁରସ୍କାର ନୁହେଁ ଶାଢ଼ି ତିଆରି କରି ଭଲ ବ୍ୟବସାୟ ମଧ୍ୟ କରୁଛନ୍ତି । ୨୦୦ ବର୍ଷର ଇତିହାସ – ବ୍ରହ୍ମପୁର ସହରର ଜଣେ ବୁଣାକାର ତଥା ସହରରେ ଥିବା ବ୍ରହ୍ମପୁର ସିଲ୍କ ବୁଣାକାର ସମବାୟ ସମିତିର ଜଣେ ସଦସ୍ୟ କେ.ଭୀମ
ରାଜୁ ରାଓଙ୍କ ମତରେ ବ୍ରହ୍ମପୁର ପାଟଶାଢ଼ିର ଇତିହାସ ପ୍ରାୟ ୨୦୦ ବର୍ଷରୁ ଊର୍ଦ୍ଧ୍ୱ । ପୁର୍ବରୁ ବ୍ରହ୍ମପୁର ସହର ମହୁରୀ ରାଜାଙ୍କ ଅଧୀନରେ ଶାସିତ ହେଉଥିଲା। ସେହି ସମୟରେ ମହୁରୀ ରାଜା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଅଞ୍ଚଳର ରାଜମହେନ୍ଦ୍ରୀ ସହରକୁ ଗସ୍ତରେ ଯାଇ ସେଠାରେ ପ୍ରସ୍ତୁତ ହେଉଥିବା ପାଟବସ୍ତ୍ର ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ସେହି ପାଟବସ୍ତ୍ର ତାଙ୍କୁ ବେଶ୍ ପସନ୍ଦ ଆସିବାରୁ ରାଜମହେନ୍ଦ୍ରୀରୁ ଫେରିବା ବେଳେ ସେଠାକାର କେତେଜଣ ବୁଣାକାରଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ସେହି ବୁଣାକାରମାନଙ୍କୁ ବ୍ରହ୍ମପୁର ସହରର ତତ୍କାଳୀନ କେଦାରେଶ୍ୱର ମନ୍ଦିର ନିକଟସ୍ଥ କିଛି ଜାଗା ଦେଇଥିଲେ ରହିବା ପାଇଁ। ଏହି ବୁଣାକାର ପରିବାର ବର୍ତ୍ତମାନ ବ୍ରହ୍ମପୁର ସହରରେ ଡେରା ସମ୍ପ୍ରଦାୟ ଭାବେ ପରିଚିତ।
ବ୍ରହ୍ମପୁର ସହର ପୁରାତନ ସମୟରୁ ହିଁ ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ କେନ୍ଦ୍ର ଭାବେ ପରିଚିତ ଥିଲା। ବ୍ରହ୍ମପୁର ପାଟର ସ୍ବତନ୍ତ୍ରତା ହେଲା ଏବେ ସୁଦ୍ଧା ଏହି ପାଟ ହାତରେ ବୁଣାଯାଏ । ତେବେ ବ୍ରହ୍ମପୁର ପାଟଶାଢ଼ିକୁ ବାଦ ଦେଲେ ଗଞ୍ଜାମ ଜିଲାରେ ପାତ୍ରପୁର ବ୍ଲକ ଅନ୍ତର୍ଗତ ବମକେଇ ଗ୍ରାମରେ ମଧ୍ୟ ବୁଣାକାରଙ୍କ ଦ୍ୱାରା ବମକେଇ ପାଟ ବୁଣା ହେଉଛି ।
ପାରମ୍ପରିକ ପାଟ ଡିଜାଇନ- ବ୍ରହ୍ମପୁର ପାଟର କେତୋଟି ମାତ୍ର ହାତଗଣତି ଡିଜାଇନ୍ ଥିବା ସତ୍ତ୍ୱେ ତା’ର ସେହି ଡିଜାଇନ ତାକୁ ସମସ୍ତଙ୍କ ଭିତରେ ସ୍ବତନ୍ତ୍ର କରିଥାଏ। ପୁରାତନ ସମୟରୁ ଅଦ୍ୟାବଧି ବ୍ରହ୍ମପୁର ପାଟ ପ୍ରସ୍ତୁତକାରୀ ତଥା ବୁଣାକାରମାନେ କେବଳ ପୋଡ଼ାକୁମ୍ଭ, ଜାଲା, ଏକପୋଲିଆ ଯୋଡ଼, ମୁକ୍ତା ମଞ୍ଜି ଓ ବାନ୍ଧ କଳାକୃତି ବା ଡିଜାଇନ ହିଁ ପାଟରେ କରିଥା’ନ୍ତି । ଏଥି ମଧ୍ୟରୁ ମହିଳାମାନଙ୍କ ପାଟଶାଢ଼ିରେ ସବୁପ୍ରକାର ଡିଜାଇନ କରାଯାଉଥିବା ବେଳେ ପୁରୁଷଙ୍କ ନିମନ୍ତେ ଉଦ୍ଦିଷ୍ଟ ପାଟବସ୍ତ୍ରରେ କେବଳ ଏକପୋଲିଆ ଯୋଡ଼ କଳାକୃତି ସ୍ଥାନ ପାଏ ।
ଅନ୍ଲାଇନ୍ରେ ବ୍ରହ୍ମପୁର ପାଟ- ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ପାଟର ଚାହିଦା ଖୁବ୍ ବେଶି । ସହରର ମୁଖ୍ୟତଃ ବଡ଼ବଜାର ଅଞ୍ଚଳରେ ବହୁଳ ମାତ୍ରାରେ ବ୍ରହ୍ମପୁର ପାଟ ବିକ୍ରି ହୋଇଥାଏ । ବର୍ତ୍ତମାନ ବଜାର ଦର ଅନୁସାରେ ବ୍ରହ୍ମପୁର ପାଟ ୭୦୦୦ରୁ ୧୫୦୦୦ ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ବିଗତ ୩ରୁ ୪ ବର୍ଷ ମଧ୍ୟରେ ଅନ୍ଲାଇନ୍ ଶପିଂ ଆପ୍ ଆମାଜନ, ଫ୍ଲିପ୍ କାର୍ଟ ଆଦି ଦ୍ୱାରା ଅନଲାଇନ ମାର୍କେଟିଂରେ ମଧ୍ୟ ବ୍ରହ୍ମପୁର ପାଟ ଉପଲବ୍ଧ ହେଉଛି। ଯାହା ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶ ଓ ବିଦେଶରେ ବ୍ରହ୍ମପୁର ପାଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।