କନକ ବ୍ୟୁରୋ:  ଗୋସେବାକୁ ସେ ପରମ ଧର୍ମ ଭାବେ ଗ୍ରହଣ କରିଛନ୍ତି । ନିଜ ଜୀବନକୁ ପ୍ରାଣୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି । ପଶୁପକ୍ଷୀଙ୍କ ପାଇଁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଗାଈଗୋରୁଙ୍କ ଜନ୍ମଦିନ ଓ ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରୁଛନ୍ତି । ଖରାବର୍ଷା ଓ ଶୀତ କାକରକୁ ଖାତିର ନକରି ଗୋସେବାକୁ ସେ ବ୍ରତ ଭାବେ ପାଳନ କରୁଛନ୍ତି । ସେ ହେଉଛନ୍ତି କ୍ରିଷ୍ଣା ନାୟକ। ଗାଈଗୋରୁ ଓ ଅନ୍ୟ ପ୍ରାଣୀଙ୍କୁ ବିପଦରୁ ଉଦ୍ଧାର ହେଉ କି ସେମାନଙ୍କ ଚିକିତ୍ସା, ସବୁ କରନ୍ତି କ୍ରିଷ୍ଣା ଓ ତାଙ୍କ ଟିମ୍ । ଏବେ ଖରାଦିନେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସେ ଗାଈଗୋରୁ ଓ ପଶୁପକ୍ଷୀଙ୍କ ପାଇଁ ଜଳକୁଣ୍ଡ ବସାଇଛନ୍ତି । ନିୟମିତ ଭାବେ କୁଣ୍ଡରେ ଜଳ ପରିବର୍ତ୍ତନ କରାଯାଉଛି । ଏହି ସେବାରେ ୨ ହଜାରରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଲାଗିଛନ୍ତି । ସେବା ନିଶୁଳ୍କ ହୋଇଥିବା ବେଳେ ସବୁବେଳେ ସବୁ ଜାଗାରେ ସ୍ବେଚ୍ଛାସେବୀମାନେ ପ୍ରାଣୀଙ୍କୁ ବିପଦରୁ ଉଦ୍ଧାର କରୁଛନ୍ତି ।  

Advertisment


ଗୋସେବା ସହିତ ସେମାନଙ୍କ ଜନ୍ମଦିନ ଓ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି କ୍ରିଷ୍ଣା । ସବୁ ପଶୁଙ୍କ ସହ ଲୋକଙ୍କ ମଧ୍ୟରେ ଆତ୍ମୀୟତା ବଢ଼ାଇବା ପାଇଁ ସେ ଏପରି କରୁଛନ୍ତି । ପଶୁ କହିଲେ କେବଳ ଗାଈଗୋରୁ କି ଷଣ୍ଢ ନୁହେଁ, କୁକୁର, ବିଲେଇ, ମାଙ୍କଡ଼ ଆଦିଙ୍କ ସେବା ମଧ୍ୟ  କରାଯାଉଛି । ଯେଉଁମାନଙ୍କୁ କ୍ରିଷ୍ଣା ଓ ତାଙ୍କ ଟିମ୍ ଆବଶ୍ୟକ ସ୍ଥଳେ ସୁରକ୍ଷା ଓ ସେବା ଯୋଗାଇ ଆସୁଛନ୍ତି । ଏଥିରେ ଅନେକ ଅନୁପ୍ରାଣିତ ହୋଇ ପ୍ରାଣୀସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି । କ୍ରିଷ୍ଣା ନାୟକଙ୍କ ଗୋସେବା, ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି । ଏହିଭଳି ଭାବେ ପ୍ରାଣୀଙ୍କ ସେବା ସହ ଅନ୍ୟମାନଙ୍କୁ ଏହି ସ୍ରୋତରେ ସାମିଲ କରି ଢେର୍ ପ୍ରଶଂସାର ପାତ୍ର ହୋଇଛନ୍ତି କ୍ରିଷ୍ଣା  ।